ଓଡ଼ିଶାରେ ୨ଦିନରେ ସୁସ୍ଥ ହେଲେ ୨୪ହଜାର

୧୨ଦିନ ପରେ ୨୦% ତଳକୁ ଖସିଲା ପଜିଟିଭ୍ ହାର, ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇ ଦିନ ହେବ ସଂକ୍ରମଣ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଗତକାଲି ୧୨ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ସୋମବାର ୧୧,୮୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦୁଇ ଦିନରେ ୨୩,୮୯୮ ଆକ୍ରାନ୍ତ ସୁସ୍ଥ ହେବା ସହିତ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୨୬ହଜାର ୩୫୩କୁ ବୃଦ୍ଧି ପାଇଛି। ରାଜ୍ୟରେ ସୁସ୍ଥ ହାର ୮୪ ପ୍ରତିଶତ ରେକର୍ଡ କରାଯାଇଛି। ଏହା ଜାତୀୟ ହାର ସହିତ ସମାନ। ରାଜ୍ୟରେ ଏବେ ୯୪,୨୪୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ରାଜ୍ୟରେ ୧୨ଦିନ ପରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୨୦ ପ୍ରତିଶତ ତଳକୁ ଖସିଛି। ଗତ ଏପ୍ରିଲ ୩୦ ତାରିଖରେ ରାଜ୍ୟରେ ପ୍ରଥମ ଥର ଲାଗି ଟିପିଆର ୨୦ପ୍ରତିଶତ ଛୁଇଁଥିବା ବେଳେ ଏହା ପରେ କିଛି ଦିନ ଉପର-ତଳ ହୋଇ ରହିଥିଲା। ମାତ୍ର ଚଳିତ ମାସ ୪ ତାରିଖଠାରୁ କ୍ରମାଗତ ଭାବେ ଟିପିଆର୍‌ ୨୦ ପ୍ରତିଶତ ଉପରେ ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮,୪୩୬ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆର୍‌ ୧୮ ପ୍ରତିଶତକୁ ଖସି ଆସିଛି। ଟିପିଆର୍‌ ଖସିବା ପଛରେ ଆରଟି-ପିସିଆର ନମୁନା ସଂଖ୍ୟା ଦିନକୁ ଦିନ କମିବା ଏକ ପ୍ରମୁଖ କାରଣ ନୁହେଁ ତ ? ଗତ ୨୪ ଘଣ୍ଟାରେ ଆରଟି-ପିସିଆର ସଂଖ୍ୟା ୩୨ ପ୍ରତିଶତ ରହିଛି। ତେବେ ଟିପିଆର୍‌ ୨୦ ପ୍ରତିଶତ ତଳକୁ ଖସିବା ସତ୍ତ୍ବେ ରାଜ୍ୟରେ କରୋନା ସ୍ଥିତି ଏବେ ବି ସମ୍ବେଦନଶୀଳ ରହିଛି। ଦିଲ୍ଲୀ, ୟୁପିରେ ଟିପିଆର୍‌ ୧୦ ତଳକୁ ଖସି ଆସିଛି।

୧୬ ତାରିଖ ତୁଳନାରେ ରାଜ୍ୟରେ ଦୈନିକ ସଂକ୍ରମଣରେ ୮ ପ୍ରତିଶତ ହ୍ରାସ ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୭୫୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ହଜାର ତଳକୁ ଖସି ଆସିଛି। ଜିଲ୍ଲାରୁ ୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ କଟକ ଜିଲ୍ଲା ଦୈନିକ ସଂକ୍ରମଣରେ ଖୋର୍ଧାକୁ ଟପି ଯାଇଛି। କଟକରୁ ୯୭୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ବର ଓ କଟକରେ ଗୋଷ୍ଟୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସଂପର୍କରେ କୁହାଯାଇଥିଲା। ଏହାବାଦ୍ ସୁନ୍ଦରଗଡ଼ ୮୩୨, ଅନୁଗୁଳ ୬୦୬, ବଲାଙ୍ଗୀର ୫୦୭, ନୂଆପଡ଼ା ୫୦୨, ସମ୍ବଲପୁର ୪୯୪, ମୟୂରଭଞ୍ଜ ୪୫୪, ଭଦ୍ରକ ୪୪୩, ବରଗଡ଼ ୪୦୪, ଝାରସୁଗୁଡ଼ା ୩୮୮, ନବରଙ୍ଗପୁର ୩୮୬, ବାଲେଶ୍ବର ୩୫୩, ପୁରୀ ୩୫୦ ଓ ଷ୍ଟେଟ ପୁଲରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧କୁ ବୃଦ୍ଧି ପାଇଛି।

ଚଳିତ ମାସରେ ଦ୍ବିତୀୟ ଥର ଲାଗି ରାଜ୍ୟରେ କରୋନାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧା, କୋରାପୁଟ, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ୩ଜଣ ଲେଖାଏ, ଅନୁଗୁଳ ୨, ପୁରୀ ଓ ଗଜପତିରେ ଜଣେ ଲେଖାଏଁ କରୋନା ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୩୫ରେ ପହଞ୍ଚିଛି। ଗତ ୧୪ ତାରିଖରେ ମଧ୍ୟ ୨୨ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଥିଲା।

ସମ୍ବନ୍ଧିତ ଖବର