ବ୍ରହ୍ମପୁର ବନମଣ୍ଡଳରେ ୯୫ ପ୍ରଜାତିର ୨୪ହଜାର ୨୯୮ ପକ୍ଷୀ

ବାହୁଦା ମୁହାଣରେ ସର୍ବାଧିକ, ଗତବର୍ଷ ତୁଳନାରେ ଚଳିତ ବର୍ଷ ୨ ଗୁଣ ଅଧିକ

ବ୍ରହ୍ମପୁର : ବ୍ରହ୍ମପୁର ବନମଣ୍ଡଳ ଅନ୍ତର୍ଗତ ୪ ବନାଞ୍ଚଳର ୩୮ଟି ଜଳାଶୟକୁ ଚଳିତ ବର୍ଷ ୯୫ଟି ପ୍ରଜାତିର ସମୁଦାୟ ୨୪ହଜାର ୨୯୮ ପକ୍ଷୀ ଆସିଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨ ଗୁଣ ଅଧିକ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ଏଥିରେ ସର୍ବାଧିକ ଲିଟଲ୍‌ ଇଗ୍‌ରେଟ୍‌ ୧୫୯୨ଟି, ବାର୍‌ ହେଡ଼େଡ଼୍‌ ଗୁଜ୍‌ ୧୨୬୦, କମନ କୁଟ୍ ୮୩୫, ଲିଟିଲ୍‌ କରମୋରେଣ୍ଟ୍‌ ୧୨୮୭, ଇଣ୍ଟରମିଡ଼ିଏଟ୍‌ ଏର୍ଗେଟ ୧୦୮୯, ଇଣ୍ଡିଆନ୍‌ ପଣ୍ଡ ହର୍ଣ୍ଣ ୮୭୨, ରେଡ୍‌ କ୍ରିଷ୍ଟାର୍ଡ ପୋଚାର୍ଡ ୧୧୨୨, ପରପଲ୍‌ ମୁରହେନ୍‌ ୯୯୯, ଲେସ୍‌ର ହ୍ବଷ୍ଟିଲିଙ୍ଗ୍‌ ଡକ୍‌ ୯୯୬ଟି ଏବଂ ବ୍ଲାକ୍‌ ହେଡ଼େଡ୍ ଗଲ ୮୫୦ଟି ରହିଥିବା ଜଣାପଡ଼ିଛି। ବନମଣ୍ଡଳର ସମୁଦାୟ ପକ୍ଷୀ ମଧ୍ୟରୁ ବ୍ରହ୍ମପୁର ବନାଞ୍ଚଳରେ ୧୧,୫୫୪ଟି, ଖଲ୍ଲିକୋଟ ବନାଞ୍ଚଳରେ ୮୯୫୭ଟି, ଦିଗପହଣ୍ଡି ବନାଞ୍ଚଳରେ ୧୮୯୭ଟି ଓ ସାମନ୍ତିଆପଲ୍ଲୀ ବନାଞ୍ଚଳରେ ୧୮୯୦ଟି ପକ୍ଷୀ ରହିଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଉତ୍ତର ଓ ଦକ୍ଷିଣ ଘୁମୁସର ବନମଣ୍ଡଳର ୧୪ଟି ବନାଞ୍ଚଳର ରହିଥିବା ବିଭିନ୍ନ ଜଳାଶୟରେ ଗତ ୩ ତାରିଖରେ ପକ୍ଷୀ ଗଣନା କରାଯାଇଥିଲା। ବ୍ରହ୍ମପୁର ବନମଣ୍ଡଳ ଅର୍ନ୍ତଗତ ବ୍ରହ୍ମପୁର, ଖଲ୍ଲିକୋଟ, ହିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ବନାଞ୍ଚଳ ଇଲାକାକୁ ସମୁଦାୟ ୩୮ ୟୁନିଟ୍‌ କରାଯାଇ ସମସ୍ତ ଜଳାଶୟରେ ପକ୍ଷୀ ଗଣନା ହୋଇଥିଲା। ପ୍ରତି ୟୁନିଟ୍‌ରେ ୩ ରୁ ୫ଜଣ ପର୍ଯ୍ୟନ୍ତ କର୍ମଚାରୀ ନିୟୋଜିତ ହୋଇଥିଲେ। ବ୍ରହ୍ମପୁର ବନମଣ୍ଡଳ ଅର୍ନ୍ତଗତ ୩୮ଟି ଜଳାଶୟ ଅଞ୍ଚଳରେ ପକ୍ଷୀ ଗଣନା ହୋଇଥିଲା। ବନ କର୍ମଚାରୀ ମାନେ ‌ଡଙ୍ଗା ଓ ବୋଟ ସାହାଯ୍ୟରେ ବିଭିନ୍ନ ଜଳାଶୟକୁ ଯାଇ କେତେ ମାତ୍ରାରେ ପକ୍ଷୀ ଆସିଛନ୍ତି ଓ ନୂତନ ପକ୍ଷୀ କଣ ରହିଛନ୍ତି ବାଇନାକୁଲର୍ ଏବଂ କ୍ୟାମେରାରେ ଦେଖି ପକ୍ଷୀ ଗଣିବା ସହ ତଥ୍ୟ ସଂଗ୍ରହ କରିଥିଲେ। ବାହୁଦା ମୁହାଣ ଓ ସୋରଳ ଅଞ୍ଚଳରେ ସର୍ବାଧିକ ୭ହଜାର ୯୮୨ ପକ୍ଷୀ ରହିଛନ୍ତି। ତାମ୍ପରା ‌ହ୍ରଦରେ ୨୮୪୦, ବାହୁଦା ବେକ୍‌ ୱାଟରରେ ୧୬୧, ଋଷିକୁଲ୍ୟା ମୁହାଣରେ ୩୫୯୭, ହୁମା ଲୁଣିପାଣି ଇଲାକାରେ ୧୦୩୧, କଳିଙ୍ଗଦୋଳା ଡ୍ୟାମ୍‌ରେ ୪୭୬, ଓଡ଼ସିଙ୍ଗୀ ସାଗରରେ ୨୫୫, ଘୋଡ଼ାହାଡ଼ ଆର୍ଦ୍ର ଅଞ୍ଚଳରେ ୧୨୮ଟି, ବାଘଲଟିରେ ୬୯ଟି ଓ ସୁରଙ୍ଗୀ ମୁକୁନ୍ଦ ସାଗରରେ ୫୦୭ ପକ୍ଷୀ ରହିଥିବା ଜଣାପଡ଼ିଛି।

୨୦୧୯ରେ ବି ଏହି ୩୮ଟି ଜଳାଶୟରେ ପକ୍ଷୀ ଗଣନା ହୋଇଥିଲା। ୭୨ଟି ପ୍ରଜାତିର ୧୨୩୩୨ଟି ପକ୍ଷୀ ଆସିଥିଲେ। ଚଳିତ ବର୍ଷ ତୁଳନାରେ ଗତବର୍ଷ ୧୧୯୬୯ ପକ୍ଷୀ ଆସିଛନ୍ତି।

ସମ୍ବନ୍ଧିତ ଖବର