ରାଜ୍ୟରେ ପ୍ରଥମ: ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୪ମାସ ହେଲାଣି କରୋନା ସହ ରାଜ୍ୟବାସୀ ଲଢ଼ି ଆସୁଥିବା ବେଳେ ଆଜି ଏକ ବଡ ସଫଳତା ମିଳିଛି | ଏକା ସାଙ୍ଗରେ ଆଜି ସର୍ବାଧିକ ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ରାଜ୍ୟକୁ ଆଜି ଏତେ ବଡ ସଫଳତା ମିଳିଥିବାରୁ ସରକାର ସମସ୍ତ କରୋନା ଯୋଦ୍ଧାଙ୍କୁ ସଲାମ କରିଛନ୍ତି | ତେବେ ଆଜି ସୁସ୍ଥ ହୋଇଥିବା ୨୪୩ଜଣଙ୍କ ମଧ୍ୟରେ ୧୮ଟି ଜିଲ୍ଲାର ବାସିନ୍ଦା ରହିଛନ୍ତି |

ସୁସ୍ଥ ୨୪୩ଜଣଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ ୫୯ଜଣ ସୁସ୍ଥ ହୋଇଛନ୍ତି | ସେହିଭଳି ଗଞ୍ଜାମରୁ ୪୧ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮ଜଣ, କନ୍ଧମାଳରୁ ୧୭ଜଣ, ଝାରସୁଗୁଡାରୁ ୧୫ଜଣ, ସୁନ୍ଦରଗଡ଼ରୁ ୧୦ଜଣ, ଭଦ୍ରକ,ଯାଜପୁର ଏବଂ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ୭ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | କରାଯାଇଥିବା ଟୁଇଟରେ ବରଗଡ଼ ଏବଂ ମୟୁରଭଞ୍ଜରୁ ୬ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଜଗତସିଂହପୁରରୁ ୫ଜଣ, ବାଲେଶ୍ୱରରୁ ୨ଜଣ, କଳାହାଣ୍ଡିରୁ ଜଣେ ଏବଂ କଟକ, ମାଲକାନଗିରି ଏବଂ ନବରଙ୍ଗପୁରରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଛି |

ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୫୧୮୯ଜଣ ସୁସ୍ଥ ହୋଇଥବା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ରହିଛି | ଏହା ସହ ଆଜି ରାଜ୍ୟରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି |

ସମ୍ବନ୍ଧିତ ଖବର