ସମ୍ବଲପୁର: ରାଜ୍ୟରେ ନକଲି କାରଖାନା ଓ ନକଲି ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଛି। କଟକ, ଭୁବନେଶ୍ବର, ବ୍ରହ୍ମପୁର, ଭଦ୍ରକ ପରେ ଏହି ନକଲି କାରବାର ସହ ଯୋଡ଼ି ହୋଇଯାଇଛି ସମ୍ବଲପୁର। ଆଜି ସମ୍ବଲପୁର ସହରରେ ବିପୁଳ ପରିମାଣରେ ନକଲି ଡିଟରଜେଣ୍ଟ ଜବତ ହୋଇଛି। କ୍ଷେତରାଜପୁର ଓ ଅଇଁଠାପାଲି ଥାନା ଅଂଚଳରେ ପୁଲିସ ଅତର୍କିତ ଚଢ଼ାଉ କରି ଗୋଟିଏ ଦୋକାନ ଓ ଅନ୍ୟ ଏକ ଗୋଦାମରୁ ୨୪୩ ବସ୍ତା ନକଲି ଡିଟରଜେଣ୍ଟ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସର୍ଫ ଏକ୍ସସେଲ୍ ବ୍ରାଣ୍ଡରେ ନକଲି ଡିଟରଜେଣ୍ଟ ପ୍ୟାକିଂ କରାଯାଇ ଏହାକୁ ବିକ୍ରି କରାଯାଉଥିବା ନେଇ ହିନ୍ଦୁସ୍ତାନ ୟୁନିଲିଭର କଂପାନିକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ କଂପାନିର ଲିଗାଲ ଏଟର୍ଣ୍ଣି ନୟନତାରା ଡେମୀ କ୍ଷେତରାଜପୁର ଓ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଚଢ଼ାଉ କରିଥିଲା। ରେଲୱେ କ୍ରସିଂ ନିକଟରେ ଏକ ଦୋକାନରେ ଚଢ଼ାଉ କରି ୫ ବସ୍ତା ନକଲି ସର୍ଫ ଏକ୍ସଲ ଜବତ କରିଛି। ନମୁନା ପରୀକ୍ଷା ପାଇଁ ପଠାଯିବ। ଦୋକାନର ମାଲିକ ନରେଶ ଅଗ୍ରୱାଲଙ୍କୁ ଅଟକ ରଖିଛି ପୁଲିସ। ପଚରାଉଚରା ବେଳେ ବରେଇପାଲି ଅଂଚଳର ନୂଆପଡ଼ାରେ ଡିଷ୍ଟ୍ରିବ୍ୟୁଟର ଆଶିଷ ଅଗ୍ରୱାଲଙ୍କ ଦେକାନରେ ଚଢ଼ାଉ କରିଥିଲା ପୁଲିସ। ସେଠାରେ ୨୩୯ ବସ୍ତା ଡିଟରଜେଣ୍ଟ ଓ ଖୋଲାରେ ବିକ୍ରି କରାଯାଉଥିବା ଡିଟରଜେଣ୍ଟ ଜବତ କରିଥିଲା। ପୁଲିସ ଏହାକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯିବ। ଆଶିଷ ଅଗ୍ରୱାଲଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।
ଅତିରିକ୍ତ ଏସ୍ପି ଅମରେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଅଇଁଠାପାଲି ଓ କ୍ଷେତରାଜପୁର ପୁଲିସ ମିଳିତ ଭାବେ ଚଢ଼ାଉ କରିଛି। ପ୍ରତି ବସ୍ତାରେ ୧୨୦ଟି ୧୦ଟଙ୍କିଆ ଡିଟରଜେଣ୍ଟ ଥିଲା। ପ୍ରତି ପ୍ୟାକେଟର ଓଜନ ୯୦ ଗ୍ରାମ ଅଛି ବୋଲି ପୁଲିସ ସୂଚନା ଦେଇଛି।