ରୋଡ୍‌ ରୋମିଓ ସାବଧାନ! ଏଣିକି ସାବାଡ଼ କରିବେ ମହିଳା ଏସ୍‌ପିଓ, ୩୦ ଅନୁଷ୍ଠାନରୁ ୨୪୬ଜଣ ଯୁବତୀଙ୍କୁ ଏସ୍‌ପିଓ ନିଯୁକ୍ତି

ଭୁବନେଶ୍ବର : ସାବଧାନ ରୋଡ୍‌ ରୋମିଓ। ରାଜଧାନୀର ରାସ୍ତାକଡ଼ରେ କିମ୍ବା କଲେଜ ଆଗରେ ଝିଅଙ୍କୁ କମେଣ୍ଟ କରି ଆଉ ବର୍ତ୍ତି ପାରିବନି। ଯୁବତୀ/ମହିଳାଙ୍କୁ ଅସଦାଚରଣ କରି ଘଟଣାସ୍ଥଳକୁ ପୁଲିସ ଆସିବା ପୂର୍ବରୁ ଖସି ପାରିବନି। ଖାଲି ସେତିକି ନୁହେଁ, ଫେସବୁକ୍‌, ହ୍ୱାଟ୍‌ସ-ଆପ୍‌ ଭଳି ସୋସିଆଲ ମିଡିଆ ଜରିଆରେ ଯୁବତୀ/ମହିଳାଙ୍କୁ ଦୁର୍ବ୍ୟବହାର, ଅଶ୍ଳୀଳ ଭାଷାରେ ମନ୍ତବ୍ୟ କିମ୍ବା ଅନ୍ୟ ଯେକୌଣସି ଉପାୟରେ ନିର୍ଯାତନା ଦେଲେ ଗିରଫ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀର ୩୦ ଅନୁଷ୍ଠାନରୁ ୨୪୬ଜଣ ଯୁବତୀଙ୍କୁ ଏସ୍‌ପିଓ (ସ୍ବତନ୍ତ୍ର ପୁଲିସ ଅଫିସର) ଭାବେ ନିଯୁକ୍ତି ଦିଆଯାଇଛି। ସ୍କୁଲ, କଲେଜ ଛାତ୍ରୀ ଓ କର୍ମକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଯାବତୀୟ ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବା ଭଳି ପୁଲିସ କ୍ଷମତା ଏମାନଙ୍କୁ ପ୍ରଦାନ କରାଯାଇଛି। ଏହି କ୍ଷମତାର ଅବଧି ବର୍ତ୍ତମାନ ପାଇଁ ୩ ମାସ ରହିଛି। ପରେ ନବୀକରଣ କରାଯାଇ ଅବଧି ବୃଦ୍ଧି କରାଯିବ।

କମିସନରେଟ୍‌ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସରେ ଆଜି ଆରମ୍ଭ ହୋଇଥିବା ଏହି ନୂଆ ବ୍ୟବସ୍ଥାକୁ ପୁଲିସ ଡିଜି ଅଭୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କମିସନରେଟ୍‌ ପୁଲିସ ସମ୍ମେଳନ କକ୍ଷରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨୪୬ ଛାତ୍ରୀଙ୍କୁ ଏସ୍‌ପିଓ ଭାବେ ନିଯୁକ୍ତି ଦେବା ଅବସରରେ ସେ କହିଥିଲେ ଯେ ପ୍ରଥମ ଥର ପାଇଁ ଏଭଳି ଏକ ଭିନ୍ନ ବ୍ୟବସ୍ଥା କମିସନରେଟ୍‌ ପୁଲିସ ଆରମ୍ଭ କରିଛି। ଅନେକ ସମୟରେ ପୁଲିସ ପାଖରେ ଅପରାଧ ସମ୍ପର୍କରେ ଖବର ପହଞ୍ଚି ପାରେନାହିଁ। କିମ୍ବା ଖବର ପହଞ୍ଚିଲା ବେଳକୁ ଅପରାଧୀ ଖସିଯିବାକୁ ସକ୍ଷମ ହୋଇଥାଏ।

ଫଳରେ ମହିଳାମାନେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମୁଣ୍ଡ‌ ପାତି ସହିଯାଆନ୍ତି। ଏହାଦ୍ବାରା ଅପରାଧୀର ସାହସ ବଢ଼େ। ମହିଳାମାନେ ଅତ୍ୟାଚାରର ଶିକାର ହୋଇ ମାନସିକ ଚାପଗ୍ରସ୍ତ ହୁଅନ୍ତି। ଏବେ ଏହାକୁ ଏସ୍‌ପିଓମାନେ ଜଗିବେ କିମ୍ବା ନିର୍ଯାତିତା ମହିଳା ଜଣକ ସେମାନଙ୍କ ଜରିଆରେ ସିଧାସଳଖ ପୁଲିସ ପାଖରେ ପହଞ୍ଚି ପାରିବେ।

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଲେ, ପୁଲିସର ତୃତୀୟ ନେତ୍ର ନାହିଁ। ଏଣୁ କେଉଁଠି କ’ଣ ଘଟୁଛି, ତାହା ଜାଣିବା ସମ୍ଭବପର ହେଉନାହିଁ। ଏସ୍‌ପିଓମାନେ କମିସନରେଟ୍‌ ପୁଲିସର ଆଖି ଓ କାନ ଭାବରେ କାମ କରିବେ। ତା’ ଛଡ଼ା ସେମାନେ ଅପରାଧୀକୁ ଗିରଫ ମଧ୍ୟ କରିପାରିବେ। ସହରାଞ୍ଚଳ ପୁଲିସ ଆଇନ ବଳରେ ସେମାନଙ୍କୁ ଏହି କ୍ଷମତା ଦିଆଯାଇଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଏକ ହ୍ବାଟ୍‌ସ୍‌-ଆପ୍‌ ଗ୍ରୁପ୍‌ରେ ସାମିଲ କରାଯାଇ ଏକାଠି କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଆଜି ଏସ୍‌ପିଓମାନଙ୍କୁ ଦାୟିତ୍ବ ସହ ସ୍ବତନ୍ତ୍ର ଜର୍ସି ପ୍ରଦାନ କରାଯାଇଛି। ‘ୱିମେନ୍‌ ଏମପାୱାରମେଣ୍ଟ ଫର୍‌ ଜେଣ୍ଡର୍‌ ସେନ୍‌ସିଟିଭ୍‌ ପୁଲିସିଂ’ କାର୍ଯ୍ୟକ୍ରମ ଜରିଆରେ ଏହି ବ୍ୟବସ୍ଥା ହୋଇଛି। ଏ ବ୍ୟବସ୍ଥା ସଫଳ ହେଲେ ସମଗ୍ର ରାଜ୍ୟରେ ଆଦୃତ ହୋଇପାରିବ ବୋଲି ସେ ଆଶା ରଖିଛନ୍ତି। କାର୍ଯ୍ୟକ୍ରମରେ ଓଲିଉଡ୍‌ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚିତା, ନୀହାରିକା, ଭୂମିକା ପ୍ରମୁଖ ଯୋଗ ଦେଇଥିଲେ। ଏହି ବଡ଼ ଦାୟିତ୍ୱକୁ ଆନ୍ତରିକତାର ସହ ସଂପାଦନ କରିବା ଓ ଏହାର ଅପବ୍ୟବହାର ନ କରିବା ପାଇଁ ସେମାନେ ନବନିଯୁକ୍ତ ଏସ୍‌ପିଓମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନେ ମଧ୍ୟ ବିଳମ୍ବିତ ରାତ୍ରିରେ ଫେରିବା ବେଳେ କିଭଳି ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ସେ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ପୁଲିସ କମିସନର ନବନିଯୁକ୍ତ ଏସ୍‌ପିଓମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ସଞ୍ଜୟ ସିଂହ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର