ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨ଟି ବ୍ୟାଗ୍ ସହ ପରିବାର ପିଛା ୧ହଜାର ଟଙ୍କା ଦେଇଥିଲେ। ଏହି ଝୋଟ ବ୍ୟାଗ୍‌ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସହିତ ୫-ଟି ର ଚିହ୍ନଟ ରହିଥିଲା। ତେବେ ଏହି ଝୋଟ ବ୍ୟାଗ ପାଇଁ ସରକାର ୨୪୭କୋଟି ୩୬ଲକ୍ଷ ୬୪ହଜାର ୨୯୭ଟଙ୍କା ଖର୍ଚ୍ଚ କରିଥିଲେ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। 

Advertisment

ଝୋଟ ବ୍ୟାଗ୍‌ ବଣ୍ଟନରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦କୋଟି, ମୟୂରଭଞ୍ଜ ୧୫କୋଟି, ବାଲେଶ୍ବର ୧୩ କୋଟି, ସୁନ୍ଦରଗଡ଼-ବଲାଙ୍ଗୀର ୧୧କୋଟି, ଯାଜପୁର-କେନ୍ଦୁଝର-ଖୋର୍ଦ୍ଧା-କଳାହାଣ୍ଡି ୧୦କୋଟି ଖର୍ଚ୍ଚ ହୋଇଛି। ସେହିପରି ପ୍ରତ୍ୟେକ ପରିବାର ପିଛା ୧ହଜାର ଟଙ୍କା ଲେଖାଏ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏ ବାବଦକୁ ୯୫୯କୋଟି ୫ଲକ୍ଷ ୨୬ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ଯେଉଁମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ବର୍ତ୍ତମାନ କିଛି ବ୍ୟବସ୍ଥା ନ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।  ଝୋଟ ବ୍ୟାଗ୍‌ ବଣ୍ଟନ ନେଇ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ପୂର୍ବ ସରକାର ସମୟରେ ଝୋଟ ବ୍ୟାଗ୍‌ ଅର୍ଡର ଦିଆଯାଇଥିଲା।

କିଏ ଅର୍ଡର ଦେଇଥିଲା ଓ କାହିଁକି ଦେଇଥିଲେ, ଏଥିରେ କ’ଣ ଉଦ୍ଦେଶ୍ୟ ଥିଲା ତାହାର ତଦନ୍ତ କରାଯିବ। ଏଥିରେ ରାଜ୍ୟ ରାଜକୋଷର ଅପବ୍ୟବହାର ହୋଇଥିଲେ, ଯିଏ ବି ହୋଇଥାଆନ୍ତୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ବହୁତ କିଛି ଗୋଳମାଳ ହୋଇଛି ବୋଲି ଜଣାପଡ଼ୁଛି। ପ୍ରତ୍ୟେକ ଦିଗକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ପୂର୍ବ ସରକାରରେ ଯାହା ଭୁଲ ନିଷ୍ପତ୍ତି ନିଆଯାଇଛି ତାକୁ ଚିହ୍ନଟ କରି ସୁଧାର କରାଯିବ। ଯିଏ ଅପରାଧୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।