ସମୁଦ୍ରକୁ ଗଲେ ୨୪୭ ଅଲିଭ୍‌ରିଡ୍‌ଲେ କଇଁଛ ଛୁଆ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ତାଳସାରୀ ଓ ଉଦୟପୁର ବେଳାଭୂମି ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ମନପସନ୍ଦ ତଥା ଉପଯୁକ୍ତ ସ୍ଥାନ। ଏଠାକୁ ସେମାନେ ପ୍ରତିବର୍ଷ ଆସି ଅଣ୍ଡାଦାନ କରନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସ ୨୫ ଓ ୨୬ ତାରିଖ ଦିନ ତିନୋଟି କଇଁଛ ଆସିଥିଲେ ଏବଂ ବେଳାଭୂମିରେ ମୋଟ ୩୦୬ଟି ଅଣ୍ଡା ଦେଇ ଫେରିଯାଇଥିଲେ। ଉକ୍ତ ଅଣ୍ଡାଗୁଡ଼ିକୁ ଉଦୟପୁର ବନ ବିଭାଗ ପକ୍ଷରୁ ସଂଗ୍ରହ କରାଯିବା ସହ ଏକ ଅସ୍ଥାୟୀ ହେଚେରିରେ ୫୨ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା। ସେଥିରୁ ମୋଟ ୨୪୭ଟି ଅଲିଭ୍‌ରିଡ୍‌ଲେ ଛୁଆ ଜନ୍ମ ହୋଇଥିଲେ। ସେହି ଛୁଆମାନଙ୍କୁ ଏକ ଭାବବିହ୍ବଳ ପରିବେଶରେ ଆଜି ସକାଳେ ଉଦୟପୁର ସମୁଦ୍ରରେ ଛଡ଼ାଯାଇଛି। ଏହି ସମୟରେ ବନପାଳ ଅଜୟ କୁମାର ଜେନାଙ୍କ ସହ ଉଦୟପୁର ବନରକ୍ଷୀ ମିନତୀ ମାଝୀ, ଖଡ଼ିବିଲ ବନରକ୍ଷୀ ସଞ୍ଜୟ ମହାନ୍ତି ତଥା ବନ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର