୨୬କିମି ରାସ୍ତା ପାଇଁ କାଟିଦେଲେ ୨୪୭୨ଗଛ: ୨ବର୍ଷ ହେଲା ଲାଗିନି ବୃକ୍ଷ

ଜୟପୁର: ପରିବେଶ ସୁରକ୍ଷା ନାଁରେ ଆଉ କିଛି ଦିନ ଗଲେ ପାଳନ କରାଯିବ ଦିବସ। ବଡ ବଡ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦେବେ ଲମ୍ବା ଭାଷଣ। ତେବେ ପ୍ରକୃତ ପକ୍ଷେ କୋରାପୁଟ ଜିଲ୍ଲାରେ ପରିବେଶ ସୁରକ୍ଷା ହେଉଛି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୋଇଛି। ଏହାର ଜ୍ବଳନ୍ତ ଚିତ୍ର ବାରିଣୀପୁଟରୁ ବୋରିଗୁମ୍ମା ଏନଏଚ ଉପରେ ଗଲେ ଦେଖାଯିବ। ଦିନେ ଯେଉଁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ବର୍ଷର ଗଛ ରହି ଛାଇ ଦେଉଥିଲା ଆଜି ସେହି ରାସ୍ତା ଖୁଲାମେଲା। ରାସ୍ତା ନିର୍ମାଣ ନାଁରେ କଟାଗଲା ଗଛ। ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଖରା ହେଲେ ଅଳ୍ପ ସମୟ ପାଇଁ ଗଛ ତଳ ଛାଇରେ ରହି ବିଶ୍ରାମ ନେଉଥିଲେ। ବୃକ୍ଷରୋପଣ ଓ ସବୁଜିମା ସୃଷ୍ଟି ଦିଗରେ ପ୍ରଶାସନ ଯେଭଳି ଦୃଷ୍ଟି ଦେବା କଥା ଦେଉନଥିବା ଅଭିଯୋଗ ହୋଇଛି।

ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୬କି‌ଲୋମିଟର (ଜାତୀୟ ରାଜପଥ)ଏନଏଚ୍ ପ୍ରଶସ୍ତିକରଣ ନାଁରେ ରାସ୍ତା ପାର୍ଶ୍ବରେ ବହୁ ବର୍ଷ ବର୍ଷ ଧରି ରହିଥିବା ଆମ୍ବ, ବର, ଶାଳ, ଶାଗୁଆନ,ଆକାଶିଆ‌ ଆଦି ୨୪୭୨ଗଛ କଟାଯାଇଛି। ତେବେ ଗଛ କାଟିବା ପରେ ତୁରନ୍ତ ବୃକ୍ଷ ରୋପଣ କରିବା  ପାଇଁ ସୁପ୍ରିମକୋର୍ଟର ନିର୍ଦେଶ ନାମା ବି ରହିଛି। ଓଡିଶା ବନ ଉନ୍ନୟନ ବିଭାଗ ଏସବୁ ଗଛ କାଟିବା ସହ ଗଛର କାଠକୁ ବିକ୍ରୀ କରିଥିଲେ। ତେବେ ନୂଆରେ ପୁଣି ଦୁଇ ଗୁଣା ଗଛ ଲଗାଇବା, ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଗଛକୁ ବଂଚାଇ ରଖିବା , ସାର, କୀଟନାଶକ ଔଷଧ ଦେବାର ନିର୍ଦେଶନାମା ରହିଛି। ତେବେ ଗଛ କାଟିବାର ୨ବର୍ଷ ପରେ ମଧ୍ୟ ଉଭୟ ବିଭାଗର ସମନ୍ବୟ ଅଭାବରୁ ନୂଆ ବୃକ୍ଷ ରୋପଣ ହୋଇ ପାରିନାହିଁ।

୨୪୭୨ଟି ଗଛ କାଟିବା ପାଇଁ ଓଡିଶା ବନ ଉନ୍ନୟନ ନିଗମ ଖର୍ଚ୍ଚ ବାବଦକୁ ୪୬ଲକ୍ଷ ଏବଂ ଜିଏସଟି ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨୨ଲକ୍ଷ ଏଭଳି ୬୮ଲକ୍ଷ ଟଙ୍କା ୨୦୧୯ଶେଷ ଆଡ଼କୁ ଜାତୀୟ ରାଜପଥ ପକ୍ଷରୁ ମିଳିଛି ବୋଲି କହିଛନ୍ତି ଓଡିଶା ବନଉନ୍ନୟନ ନିଗମର   ଜୟପୁର ଡିଭିଜନ୍ ପରିଚାଳକ ସୌଭାଗ୍ୟ ଆନନ୍ଦ ।  ରାସ୍ତାରେ ଦୁଇ ଥାକ୍କିଆ କରି ୪୯୪୪ଟି ନୂଆ ବୃକ୍ଷ ରୋପଣ ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ୫୯ଲକ୍ଷ ୫୭ହଜାର ୮୦୯ଟଙ୍କା‌ ଖର୍ଚ୍ଚ ହେବ ବୋଲି ୨୦୨୦-୨୧ଆର୍ଥିକ ବର୍ଷରେ ଆକଳନ କରାଯାଇଥିଲା।

 

ସମ୍ବନ୍ଧିତ ଖବର