ଜୟପୁର: ଖବରକାଗଜ ବଞ୍ଚିବା ପାଇଁ ପାଠକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବିଜ୍ଞାପନ ନା ପାଠକଙ୍କୁ ପ୍ରାଥମିକ ଦିଆଯିବ ସେହି ଦ୍ବନ୍ଦ୍ବରେ ଆଜିକାର ଖବରକାଗଜ ମାଲିକ ରହିଛନ୍ତି। ଖବରକାଗଜକୁ କୌଣସି ପଣ୍ୟ ଦ୍ରବ୍ୟରେ ପରିଣତ ନ କରି ପାଠକଙ୍କ ଆବଶ୍ୟକତା ପୂରଣ ହେବା ଆବଶ୍ୟକ। ଓଡ଼ିଶାରେ ଏମିତି ସ୍ଥିତି ଯେଉଁ ଦିନ ଆସିବ, ଖବରକାଗଜକୁ ନେଇ ଦେଖାଦେଇଥିବା ସଂକଟ ତଥା ଆଶଙ୍କା ଦୂର ହୋଇଯିବ। ଖବରକାଗଜ ବି ବଞ୍ଚି ରହିବ। ‘ସମ୍ବାଦ’ ଜୟପୁର ସଂସ୍କରଣର ୨୪ତମ ସ୍ବନକ୍ଷତ୍ର ଉତ୍ସବରେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତକୁ ନେଇ ରହିଥିବା ସଂଶୟକୁ ଏମିତି ଦୂର କରିଛନ୍ତି।
‘ସମ୍ବାଦ’ ସଫଳତାର ରହସ୍ୟ ସଂପର୍କରେ କହିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆଞ୍ଚଳିକ ସଂସ୍କରଣ ହିଁ ‘ସମ୍ବାଦ’କୁ ଅଭୂତପୂର୍ବ ସଫଳତା ଦେଇଛି। ସବୁ ବର୍ଗକୁ ଦୃଷ୍ଟିରେ ରଖି ଖବର ପ୍ରକାଶ କରିବା ଲକ୍ଷ୍ୟ ନେଇ ‘ସମ୍ବାଦ’ ଆରମ୍ଭ ହୋଇଥିଲା। ବାସି ଖବରର ଯୁଗ ସଂପୂର୍ଣ୍ଣ ଶେଷ କରିବାକୁ ଆଞ୍ଚଳିକ ସଂସ୍କରଣ ପ୍ରକାଶ ପାଇଥିଲା। ଖୁବ୍ କମ ଦିନରେ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜ୍ୟର ଏକ ନମ୍ବର ଖବରକାଗଜ ହୋଇପାରିଥିଲା। ଏହାସତ୍ତ୍ବେ କାଗଜ ସୁଦ୍ଧା କିଣି ନପାରିବା ଭଳି ଦିନ ‘ସମ୍ବାଦ’ ଦେଖିଛି। ଆଜିର ସ୍ବନକ୍ଷତ୍ର ଦିବସରେ ପାଠକ, ଶୁଭେଚ୍ଛୁଙ୍କ ଉପସ୍ଥିତି ଆମ ପାଇଁ ସବୁଠାରୁ ବଡ଼ ଉପହାର। ଆଜିକାଲିର ଜନ୍ମଦିନରେ ଉପହାରର ପ୍ରତି ବଦଳରେ ଦିଆଯାଉଥିବା ଉପହାର ଭଳି ଆଜି ପ୍ରତିଶ୍ରୁତି ଦେଉଛି, ଶେଷ ପାଠକ ଥିବା ପର୍ଯ୍ୟନ୍ତ ‘ସମ୍ବାଦ’ ପ୍ରକାଶ ପାଇବ।
ରକ୍ତଦାନ ଅଭିଯାନ ଆନ୍ଦୋଳନର ରୂପ ନେଇଛି: ବିଧାୟକ
ପାଠକଙ୍କ ବିଶ୍ବସନୀୟତାକୁ ଅଖଣ୍ଡ ରଖିବୁ: ତନୟା
ଉତ୍ସବରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ପ୍ରୟାସକୁ ପ୍ରଶଂସା କରିଥିଲେ। ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟବାବୁଙ୍କ ପାଇଁ ଆଜି ରକ୍ତଦାନ ଏକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି। ‘ସମ୍ବାଦ’ ହିଁ ଓଡ଼ିଶାର ଅନ୍ୟ ମୁଦ୍ରିତ ତଥା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କାରଖାନା ସଦୃଶ। ଜୟପୁର ସଂସ୍କରଣ ପ୍ରତିଷ୍ଠା ପରେ ଦଶମନ୍ତପୁର ଭଳି ଉପାନ୍ତ ଅଞ୍ଚଳରେ ସାମ୍ବାଦିକ ନିଯୁକ୍ତି କରି ନୂଆ ତଥା ସାହସିକ ଉଦାହରଣ ସୃଷ୍ଟି କରିଥିଲା। ଲୁଲା ପଞ୍ଚାୟତର ଦଲଦାଲ ଠାରେ କଲେରାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କଥା ମୁଖ୍ୟ ଖବର ଭାବେ ପ୍ରକାଶ କରି ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଯାହାଫଳରେ ଜାତୀୟ ଗଣମାଧ୍ୟମ ମଧ୍ୟ ଅଖ୍ୟାତପଲ୍ଲୀକୁ ଟାଣିହୋଇ ଆସିଥିଲେ। ଭାଙ୍ଗିବା ଚିନ୍ତାଧାରା ନରଖି ଗଠନମୂଳକ ଚିନ୍ତା ଖବର ପ୍ରକାଶ କଲେ ପାଠକୀୟ ଆଦୃତି ସର୍ବଦା ରହିବ ବୋଲି ଶେଷରେ ବିଧାୟକ କହିଥିଲେ। ଏହି ଅବସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ସମ୍ପାଦକ ତନୟା ପଟ୍ଟନାୟକ ଖବରକାଗଜର ସ୍ଥାନୀୟ ସଂସ୍କରଣର ଗୁରୁତ୍ବ ସମ୍ପର୍କରେ ପ୍ରକାଶ କରିଥିଲେ। ଓଡ଼ିଶା କହିଲେ କେବଳ କଟକ କିମ୍ବା ଭୁବନେଶ୍ବର ଭଳି ସହରକୁ ବୁଝାଏ ନାହିଁ। ଗାଁ ଗହଳିକୁ ନେଇ ଓଡ଼ିଶା ଗଠିତ। ସେହି କଥାକୁ ଅନୁଭବ କରି ‘ସମ୍ବାଦ’ ଆଞ୍ଚଳିକ ଖବର ପ୍ରକାଶ କରିବା ଆରମ୍ଭ କରିଥିଲା। ଆଉ ଆଜି ଆମେ ଆପଣଙ୍କ ସଫଳତାର କାହାଣୀ କହୁଛୁ, ଆପଣମାନଙ୍କ ପାଇଁ ସ୍ବର ସାଜିଛୁ। ଆଗାମୀ ଦିନରେ ବି ପାଠକଙ୍କ ବିଶ୍ବସନୀୟତାକୁ ଅଖଣ୍ଡ ରଖିବୁ ବୋଲି କହିଥିଲେ। ଜୟପୁର ଟାଉନ ହଲ୍ରେ ଆୟୋଜିତ ଉତ୍ସବରେ ରକ୍ତଦାତା, ବିଭିନ୍ନ ବ୍ଲକର ଶ୍ରେଷ୍ଠ ପ୍ରତିନିଧି, ବିତରକ, ଶୁଭେଚ୍ଛୁଙ୍କୁ ଅତିଥି ସମ୍ମାନିତ କରିଥିଲେ। ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ମାଲକାନଗିରି ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଚ୍ଛା
ଧନ୍ୟବାଦ ଅର୍ପଣ କରିଥିଲେ।