ଗୃହରକ୍ଷୀଙ୍କୁ ମାରିଦେଲେ ଗଞ୍ଜେଇ ମାଫିଆ, ୨୫ରୁ ଊର୍ଦ୍ଧ୍ବ କାଉଡ଼ିଆ ଗିରଫ

ଛତିଶଗଡ଼ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ
ଚାଲାଣରେ ସାମିଲ ଥିଲେ ଶହେରୁ ଊର୍ଦ୍ଧ୍ବ କାଉଡ଼ିଆ
ଘଞ୍ଚ ଜଙ୍ଗଲରେ ଚାଲିଛି ପୁଲିସ ସର୍ଚ୍ଚ ଅପରେସନ

ମାଲକାନଗିରି/ମଥିଲି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଚାଉଳମେନ୍ଦି ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗାଁ ନିକଟରେ ଜଣେ ଗୃହରକ୍ଷୀଙ୍କୁ ଗତକାଲି ରାତିରେ ନିର୍ମମ ଭାବେ ହତ୍ୟା କରିଛନ୍ତି ଗଞ୍ଜେଇ ମାଫିଆ। ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଯାଇଥିବା ପୁଲିସ ଉପରେ ଚାରିପଟୁ ଘେରି ମାଫିଆ ଅତର୍କିତ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ପୁଲିସ ଘଟଣାସ୍ଥଳରୁ ଦୌଡ଼ିଥିବା ବେଳେ ମାଫିଆଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଗୃହରକ୍ଷୀ ବନବାସୀ ମହାରଣା। ଏକାଧିକ ଟାଙ୍ଗିଆ ଚୋଟ ବାଜିଥିବା ବେଳେ ମାଥିଲି ଡାକ୍ତରଖାନାରେ ବନବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ଆଜି ସକାଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଫୋର୍ସ ଆସି ମାଥିଲି ଥାନାରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଗୋଟିଏ ଟିମ୍ ଗଠନ କରି ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଛି।

ଗତକାଲି ସଂଧ୍ୟାରେ ଚିତ୍ରକୋଣ୍ଡାରୁ ବିପୁଳ ପରିମାଣର ଗଞ୍ଜେଇ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିଲା। ମୁଖ୍ୟ ସଡ଼କ ପରିବର୍ତ୍ତେ ଜଙ୍ଗଲିଆ ରାସ୍ତାରେ ଅଳ୍ପ ଅଳ୍ପ କରି ଗଞ୍ଜେଇକୁ କାଉଡ଼ିରେ ବାନ୍ଧି ଶହେରୁ ଊର୍ଦ୍ଧ୍ବ କାଉଡ଼ିଆଙ୍କ ଦ୍ବାରା ଚାଲାଣ କରୁଥିଲେ। ଏ ନେଇ କୌଣସି ସୂତ୍ରରୁ ବାଲିମେଳା ପୁଲିସକୁ ସୂଚନା ମିଳିଥିଲା। ତେଣୁ ୧୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚୋରା ଚାଲାଣକାରୀଙ୍କ ପିଛା କରିବା ଆରମ୍ଭ କରିଥିଲା। ଏହାପରେ ଘଞ୍ଚ ଜଙ୍ଗଲରେ ଆରମ୍ଭ ହୋଇଥିଲା ପୁଲିସ-ଗଞ୍ଜେଇ ମାଫିଆ ଛକାପଞ୍ଝା। ଶେଷରେ ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡ଼ା ନିକଟରେ ପ୍ରାୟ ୧୦ଜଣ କାଉଡ଼ିଆଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୁଲିସ। ଅନ୍ୟମାନଙ୍କୁ ଖୋଜାଖୋଜି ଆରମ୍ଭ କରିବା ବେଳକୁ ଆଗକୁ ଚାଲି ଯାଇଥିବା କାଉଡ଼ିଆ ପୁଣି ପଛକୁ ଫେରି ଆସିଥିଲେ। ଅଳ୍ପ ସଂଖ୍ୟାରେ ପୁଲିସ ଥିବାରୁ ସେମାନେ ସାଥୀ କାଉଡ଼ିଆଙ୍କୁ ମୁକୁଳାଇବା ପାଇଁ ଅନ୍ଧାରର ସୁଯୋଗ ନେଇ ହଠାତ୍ ଆକ୍ରମଣ କରିଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ କାଉଡ଼ିଆଙ୍କୁ ଛାଡ଼ି ଦୌଡ଼ିବା ଆରମ୍ଭ କରିଥିଲା। କିନ୍ତୁ ଦୌଡ଼ାଦୌଡ଼ି ମଧ୍ୟରେ ତଳେ କଚାଡ଼ି ହୋଇ ପଡ଼ି ଆଉ ଉଠିପାରି ନଥିଲେ ଗୃହରକ୍ଷୀ ବନବାସୀ ମହାରଣା। କାଉଡ଼ିଆ ବନବାସୀଙ୍କୁ ଘେରି ନିସ୍ତୁକ ପିଟିବା ପରେ ମୁଣ୍ଡକୁ ଲକ୍ଷ୍ୟ କରି ବାରମ୍ବାର ଟାଙ୍ଗିଆରେ ଚୋଟ ମାରିଥିଲେ। କିଛି ଦୂରକୁ ଥିବା ପୁଲିସ ବାଧ୍ୟ ହୋଇ ଫାଙ୍କା ଗୁଳି ଚଳାଇଥିଲେ। ଯାହାଫଳରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ କାଉଡ଼ିଆ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବନବାସୀଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ମୃତ୍ୟୁ ହୋଇସାରିଥିବା ଡାକ୍ତର ପ୍ରକାଶ କରିଥିଲେ। ଏ ନେଇ ଖବର ପାଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ଫୋର୍ସ ଏବଂ ପୁଲିସ ଅଧିକାରୀ ମାଥିଲି ଥାନା ଏବଂ ଡାକ୍ତରଖାନାରେ ପହଞ୍ଚିଥିଲେ। ଏସ୍‌ପି ଋଷିକେଶ ଖିଲାରୀ ତୁରନ୍ତ ସମସ୍ତ କାଉଡ଼ିଆ ଏବଂ ଏଥିରେ ସଂପୃକ୍ତ ମାଫିଆଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷ ଖବର ସୁଦ୍ଧା ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ୨୫ରୁ ଊର୍ଦ୍ଧ୍ବ କାଉଡ଼ିଆଙ୍କୁ ଗିରଫ କରାଯାଇ ସାରିଲାଣି। ବାଲିମେଳା, ମାଥିଲି, ମାଲକାନଗିରି, ଏମଭି-୭୯ ଥାନାର ପୁଲିସ ଅଧିକାରୀଙ୍କ ସହ ଅନ୍ୟମାନେ ସର୍ଚ୍ଚ ଅପେରସନ ଜାରି ରଖିଥିବା ସୂଚନା ମିଳିଛି।

ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ବନବାସୀଙ୍କ ନିଜ ଘର ବାଲିମେଳା ହୋଇଥିବାରୁ ସେଠାରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମାଥିଲି ଡାକ୍ତରଖାନାରେ ପୁଲିସ ପକ୍ଷରୁ ବନବାସୀଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ଗୃହରକ୍ଷୀ ସଂଘ ତରଫରୁ ତୁରନ୍ତ କ୍ଷତିପୂରଣ ଏବଂ ପରିବାରରୁ ଜ‌ଣଙ୍କୁ ଚାକିରି ଦିଆନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଧମକ ଦିଆଯାଇଛି।

ସମ୍ବନ୍ଧିତ ଖବର