ଖାକି ବର୍ଦି ତଳେ ଚାଲିଛି ଦୁର୍ନୀତି: ୧୪ ମାସରେ ଧରାପଡ଼ିଲେଣି ୨୫

ବେଆଇନ ଆୟର ଉତ୍ସ: ଲାଞ୍ଚ କାରବାର, ମାମଲା ରଫାଦଫା, ଅଭିଯୁକ୍ତଙ୍କୁ କୋହଳ ମନୋଭାବ, ମାଫିଆଙ୍କ ସହ ସମ୍ପର୍କ, ଅନେକ ଦାଖଲ କରୁ ନାହାନ୍ତି ସମ୍ପତ୍ତି ତାଲିକା, ଯାଞ୍ଚ ହେଉନି

ଭୁବନେଶ୍ବର: ଫେବ୍ରୁଆରି ୧୫, ୨୦୨୨। ଓଡ଼ିଶା ପୁଲିସ କମ୍ୟୁନିକେସନ୍‌ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କ ପାଖରୁ ୯ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଜବତ ସଂପତ୍ତି ମଧ୍ୟରେ ବିଏମ୍‌ଡବ୍ଲୁ କାର୍, ୨୦ ଲକ୍ଷ ଟଙ୍କାର ରକେଟ୍‌ ଥ୍ରି ବାଇକ୍, କ୍ଲିନିକ୍, କୋଠା ଆଦି ରହିଥିଲା। ଫେବ୍ରୁଆରି ୧୧, ୨୦୨୨। ଏକ ଖାଦ୍ୟ ପ୍ରସ୍ତୁକ କମ୍ପାନି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ମଞ୍ଚେଶ୍ବର ଥାନାର ଏଏସ୍ଆଇ ରବିନାରାୟଣ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିପୁଳ ସମ୍ପତ୍ତି ଠାବ ହେବା ପରେ ଆୟ ବହିର୍ଭୂତ ମାମଲା ରୁଜୁ ହୋଇଥିଲା। ହିସାବନିକାସ ପରେ ୯୭ ଲକ୍ଷ ୭୬ ହଜାର ଟଙ୍କାର ସମ୍ପତ୍ତି ଅଧିକ ବାହାରିଥିଲା। ଯାହା ଥିଲା ତାଙ୍କ ଆୟର ୧୭୮ପ୍ରତିଶତ ଅଧିକ।
ଫେବ୍ରୁଆରି ୭, ୨୦୨୨। ଏକ ମାମଲାରେ ଗିରଫଦାରୀ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କଟକ ଜିଲ୍ଲା ନରସିଂହପୁର ଥାନାଧିକାରୀ ଅଲେଖ ଗରଦିଆ।

ଫେବ୍ରୁଆରି ୭ରୁ ୧୫ ତାରିଖ, ମାତ୍ର ୮ ଦିନ ଭିତରେ ରାଜ୍ୟ ପୁଲିସର ତିନି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କିଏ ଲାଞ୍ଚ ନେଇ ଧରାପଡ଼ିଛନ୍ତି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ। ସେହିପରି ଆଉ କିଏ ବେଆଇନ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଆଉ ଏକ ହିସାବ ଅନୁଯାୟୀ, ଗତ ୧୪ମାସ ଭିତରେ ୨୫ରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡ଼ିସାରିଲେଣି। ୨୦୨୧ ସେପ୍ଟେମ୍ବରରେ ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ବିହାରୀ ନାୟକ ଏକ କାର୍‌ରେ ଟଙ୍କା ନେଇ ଯାଉଥିବା ବେଳେ ବରଗଡ଼ ଟୋଲ‌ଗେଟ୍ ନିକଟରେ ଭିଜିଲାନ୍ସ ଧରିଥିଲା।
ଗାଡ଼ିରୁ ନଗଦ ୨ଲକ୍ଷରୁ ଅଧିକ ଟଙ୍କା ଓ କ୍ବାର୍ଟର୍ସରୁ ୩ ଲକ୍ଷ ୮୦ ହଜାର ଟଙ୍କା; ଏହିପରି ମୋଟ୍ ୫ ଲକ୍ଷ ୮୭ହଜାର ଟଙ୍କା ଜବତ ହୋଇଥିଲା। ବଡ଼ କଥା ହେଲା, ସେ ଯେଉଁ କାର୍‌‌ରେ ଯାଉଥିଲେ, ସେହି ଗାଡ଼ି ସମ୍ବଲପୁର ଧନୁପାଲ୍ଲୀ ଥାନା ଅଞ୍ଚଳର ଜଣେ ଅଭିଯୁକ୍ତର ଥିଲା। ସେହିପରି ମୋଟୁ ଥାନା ଆଇଆଇସି ୨ ଲକ୍ଷ ୮୦ ହଜାର ଟଙ୍କା ଖୋର୍ଦ୍ଧାରୁ ଫୁଲନଖରା ଯାଉଥିବା ବେଳେ ଭିଜିଲାନ୍ସ ଗିରଫ କରିଥିଲା। ଇଏ ତ ଗଲା ପୁଲିସ ବିଭାଗରେ କାର୍ଯ୍ୟରତ ବଡ଼ ବଡ଼ ବାବୁଙ୍କ କଥା, ତଳତଳିଆ କର୍ମଚାରୀ ବି ଏହି ତାଲିକାରୁ ବାଦ୍‌ ପଡ଼ି ନାହାନ୍ତି। ଗତବର୍ଷ ଅକ୍ଟୋବରରେ ବହିଷ୍କୃତ କନଷ୍ଟେବ​ଲ ପ୍ରସନ୍ନ ବେହେରା, ଓଏସ୍‌ଏପି ଷଷ୍ଠ ବାଟାଲିଅନ୍‌ର ସିପାହୀ ସହଦେବ ପରିଡ଼ା, ବ୍ରହ୍ମପୁର ପୁଲିସ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ମଧ୍ୟ ବିପୁଳ ସମ୍ପତ୍ତି ଠାବ ହୋଇଛି। କନଷ୍ଟେବଲଠାରୁ ଆରମ୍ଭ କରି ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏହାବ୍ୟତୀତ ବ୍ରାଉନସୁଗାର ମାଫିଆଙ୍କ ସହ ମୋବାଇଲ ଫୋନ୍ ବାର୍ତ୍ତାଳାପର ଅଡିଓ-ଟେପ୍ ଭାଇରାଲ୍‌ ହେବା ପରେ ତତ୍କାଳୀନ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ନିଲମ୍ବନ ଘଟଣାକୁ ମଧ୍ୟ ବାଦ୍‌ ଦିଆଯାଇ ନପାରେ। ଏହି ଘଟଣା ସେତେବେଳେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଖାକିରେ ଦାଗ ଲଗାଇ ଦେଇଥିଲା।

ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥାଇ କେମିତି କୋଟି କୋଟି ଟଙ୍କା ସମ୍ପତ୍ତି ହାତଉଛନ୍ତି ପୁଲିସ କର୍ମଚାରୀ? ବେଆଇନ ଆୟର ସୂତ୍ର କ’ଣ ହୋଇଥାଇପାରେ? କାହିଁକି ଦୁର୍ନୀତିଗ୍ରସ୍ତ ପାଲଟି ଯାଉଛନ୍ତି ପୁଲିସ କର୍ମଚାରୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ସାଧାରଣ ପ୍ରଶାସନ ବିଭାଗରେ ଦାଖଲ କରିବାର ନିୟମ ରହିଛି। କିନ୍ତୁ ନିକଟରେ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ତ୍ରିନାଥ ମିଶ୍ର ଚାକିରି ଆରମ୍ଭରୁ ସମ୍ପତ୍ତି ତାଲିକା ଦାଖଲ କରି ନ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। କେବଳ ସେ ନୁହନ୍ତି, ରାଜ୍ୟ ସରକାରଙ୍କ ଅଧିକାଂଶ ଅଧିକାରୀ/କର୍ମଚାରୀ ଏହି ନିୟମକୁ ଖିଲାପ କରି ଚାଲିଥିବା ଜଣାପଡ଼ିଛି। ଯଦି ସେମାନେ ଖିଲାପ କରୁଛନ୍ତି, ତାହେଲେ ସମ୍ପୃକ୍ତ ବିଭାଗ ପକ୍ଷରୁ କାହିଁକି ଯାଞ୍ଚ କରାଯାଉନାହିଁ ବୋଲି ପ୍ରଶ୍ନ ମଧ୍ୟ ଉଠିଛି। ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ଅନୁସାରେ, ଲାଞ୍ଚ କାରବାର, କ୍ଷମତାର ଅପବ୍ୟବହାର କରି ଅଭିଯୁକ୍ତଙ୍କୁ ଅନୁକମ୍ପା ଦେଖାଇବା, ମାମଲା ରଫାଦଫା କରିବା, ନିର୍ଦ୍ଦିଷ୍ଟ କେତେକ ମାମଲାରେ ଚାର୍ଜସିଟ୍ ବିଳମ୍ବରେ ଦାଖଲ କରିବା, ମାଫିଆଙ୍କ ସହ ସମ୍ପର୍କ ରଖି ଅସାଧୁ ଅଫିସରମାନେ ଦୁର୍ନୀତିଗ୍ରସ୍ତ ପାଲଟି ଯାଉଛନ୍ତି। ଅନ୍ୟପକ୍ଷରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ କହିବାନୁସାରେ ହାତଗଣତି କେତେକ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। କିନ୍ତୁ ବଦନାମ ହେଉଛି ପୂରା ପୁଲିସ ବିଭାଗ।

ସମ୍ବନ୍ଧିତ ଖବର