ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ବିରୋଧ ଘଟଣାରେ ୨୫ ଗିରଫ

ରାଜକନିକା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ର ଭାରୀଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରିଥିବା ୨୫ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିବାର ଖବର ମିଳିଛି। ପୁଲିସ ଏମାନଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତକାଲି ଚାଲିଥିବା ଆନ୍ଦୋଳନ ଗୁରୁବାର ବିସ୍ଫୋରକ ରୂପ ନେଇଥିଲା। ଗୁରୁବାର ହଜାର ହଜାର ଗ୍ରାମବାସୀ ଆନ୍ଦୋଳନରେ ସାମିଲ୍‌ ହେବାସହିତ ପୁଲିସ୍‌ ବ୍ୟାରେକେଡ୍‌କୁ ଭାଙ୍ଗି ପ୍ରକଳ୍ପ ସ୍ଥଳକୁ ଧସେଇ ପଶିଥିଲେ। ଜେସିବି ମେସିନ୍, ହାଇୱା ଟ୍ରକ୍‌, ଡିଜି ଜେ‌ନ୍‌ସେଟ୍‌କୁ ଭଙ୍ଗାରୁଜା କରିଥିଲେ। କମ୍ପାନିର ଅସ୍ଥ‌ାୟୀ କ୍ୟାମ୍ପକୁ ବି ଛାର୍‌ଖାର୍‌ କରିଦେଇଥିଲେ। ଲୋକମାନଙ୍କ ଆକ୍ରୋଶ ଦେଖି କମ୍ପାନି କର୍ମଚାରୀ ଛତ୍ରଭଙ୍ଗ ଦେଇଥିଲେ।

ଗୋଟିଏପଟେ ଆନ୍ଦୋଳନକାରୀମାନେ ତହସିଲ୍‌ଦାର୍‌ଙ୍କୁ ଠେଲାପେଲା କରିଥିବାବେଳେ ଅନ୍ୟପଟେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ପିଟିଥିଲେ। ଆନ୍ଦୋଳନକାରୀମାନେ ବି ପାଲଟା ଜବାବ ଦେଇଥିଲେ। ଫଳରେ, ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି। ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପ୍ରକଳ୍ପ ସ୍ଥଳ ସମେତ ତିନି ପଞ୍ଚାୟତରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଆଇଜି ନରସିଂହ ଭୋଳ, ଏସ୍‌ପି ମଦକର ସନ୍ଦୀପ ସଂପଦଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ପରିସ୍ଥିତି ଉପରେ ନଜର ରଖିଥିଲେ।

ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ବିରୋଧ କରି ହେଉଥିବା ଦୁଇବର୍ଷ ଧରି ଆନ୍ଦୋଳନ ଚାଲିଆସୁଛି। ସ୍ଥାନୀୟ ଜନସାଧାରଣ ତଥା ଆନ୍ଦୋଳନକାରୀଙ୍କ ଯୁକ୍ତି ହେଉଛି, ଖ‌ରସ୍ରୋତାର ମଧୁର ଜଳକୁ ଭଦ୍ରକ ପାନୀୟ ପ୍ରକଳ୍ପ ପାଇଁ ଦିଆଗଲେ ସ୍ଥାନୀୟ କନିକା ଓ ଆଳି ଅଂଚଳରେ ଭୂତଳ ଜଳସଙ୍କଟ ଦେଖାଦେବ। ଏଥିସହିତ ଲୁଣି ପାଣି ଚାଷ ଜମିକୁ ନଷ୍ଟ କରିଦେବ। ଗତ ମଙ୍ଗଳବାର ଦିନ ଠିକା କମ୍ପାନି ପ୍ରସ୍ତାବିତ ଭାରୀଗଦାସ୍ଥିତ ଖରସ୍ରୋତା ନଦୀ ଶଯ୍ୟାରେ ପ୍ରକଳ୍ପ କାମ ଆରମ୍ଭ କରିବାରୁ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିଲା। ପ୍ରଶାସନ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ପ୍ରକଳ୍ପସ୍ଥଳ ସମେତ ଏହାକୁ ଲାଗି ରହିଥିବା ତିନିଟି ପଂଚାୟତ ବରୁଣାଡିହ, ଭାରୀଗଦା ଓ ବାଳକାଟିରେ ୧୪୪ ଧାରା ଲଗାଇଥିଲା। ମାତ୍ର ସଂଗ୍ରାମ ସମିତି କର୍ମକର୍ତ୍ତା ଆନ୍ଦୋଳନ କରିବାରୁ ୧୪୪ ଧାରା ଭଂଗ କରିଥିବା ଦର୍ଶାଇ ଗତ ମଂଗଳବାର ଦିନ ଦୁଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଦୋଳଗୋବିନ୍ଦ ନାୟକଙ୍କ ସମେତ ଦୁଇ ଶହରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କରି ପରେ ଛାଡ଼ି ଦେଇଥିଲା। ଏହାପରଠୁ ଅସନ୍ତୋଷ ଆହୁରି ଭୀଷଣ ରୂପ ଧାରଣ କରିଥିଲା।

ସମ୍ବନ୍ଧିତ ଖବର