ଆତ୍ମଘୋଷିତ ପେସା ସପକ୍ଷବାଦୀଙ୍କ ଉନ୍ମତ୍ତକାଣ୍ଡ : ୭ ପୁଲିସ କର୍ମଚାରୀ ରାତିସାରା ଅଟକ, ଏସ୍‌ପି, ଜିଲ୍ଲାପାଳ ଉଦ୍ଧାର କଲେ, ୨୫ ଗିରଫ

ରାଉରକେଲା/ବୀରମିତ୍ରପୁର/ ସୁନ୍ଦରଗଡ଼ : ନୂଆଗାଁ ବ୍ଲକ୍‌ ବନେଇଲତା ଗ୍ରାମର ଦୁଇ ଜଣ ଓ୍ଵାରେଣ୍ଟିଙ୍କୁ ଧରିବାକୁ ଯାଇଥିବା ହାତୀବାରି ଥାନାର ପୁଲିସ ଦଳକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଠେଲାପେଲା କରିବା ସହ ପୁଲିସ୍‌ ଜିପ୍‌କୁ ଭଙ୍ଗାରୁଜା କରିଛନ୍ତି। ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତିରାଜ ସମ୍ପ୍ରସାରଣ (ପେସା) ଆଇନ ଅନୁଯାୟୀ ପୁଲିସ୍‌ ଗ୍ରାମସଭାର ବିନାନୁମତିରେ ଗ୍ରାମକୁ ପଶିଥିବା ଅଭିଯୋଗ କରି ଆତ୍ମଘୋଷିତ ‘ପେସା ସପକ୍ଷବାଦୀମାନେ’ ପୁଲିସ୍‌ ଦଳକୁ ଜଣେ ଗ୍ରାମବାସୀଙ୍କ ଘରେ ରାତିତମାମ ଅଟକ ରଖିଥିଲେ।

ସୂଚନା ଅନୁସାରେ, ବନେଇଲତାର ରାଜକୁମାର ଗୌଡ଼ (ଜିଆର୍‌. କେସ୍‌ ନଂ ୪୫୯/୨୦୧୫, ଦଫା୨୭୯/ ୩୩୪/୩୩୮/୩-୪ (ଏ) ଏବଂ ପାତ୍ରାସ ଯୋଯୋ (ଜିଆର୍‌ କେସ୍‌ ନଂ୧୭୮୧/୨୦୦୪ ଦଫା ୩୪୧/୩୨୩/୩୨୬)ଙ୍କ ନାଁରେ ଦୁଇଟି ମାମଲା ଥିଲା। ବାରମ୍ବାର କୋର୍ଟ ନୋଟିସ୍‌ ସତ୍ତ୍ୱେ ଉଭୟେ ହାଜର ହେଉନଥିବାରୁ ସେମାନଙ୍କ ନାଁରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି ହୋଇଥିଲା। ଉଭୟଙ୍କୁ ଧରିବା ପାଇଁ ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ ଗତକାଲି ସଂଧ୍ୟା ପ୍ରାୟ ସାଢେ ୭ଟା ବେଳେ ଏଏସ୍‌ଆଇ ହଳଧର ନାୟକ, ମହିଳା ହୋମ ଗାର୍ଡ ମୁନି ବଡ଼ାଇକ ଏବଂ ଅନ୍ୟ ୪ ଜଣ ଫୋର୍ସକୁ ନେଇ ବନେଇକେଲା ଗ୍ରାମରେ ପହଞ୍ଚିଥିଲେ। ପୁଲିସ କର୍ମଚାରୀମାନେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଶତାଧିକ ମହିଳା ଓ ପୁରୁଷ ସେମାନଙ୍କୁ ଘେରି ଯାଇଥିଲେ। ପେସା ଗ୍ରାମସଭାର ବିନା ଅନୁମତିରେ କାହିଁକି ଗାଁରେ ପ୍ରବେଶ କଲ ବୋଲି ଧମକ ଦେଇ ସେମାନେ ପୁଲିସକୁ ଏକ ପ୍ରକାର ଜେରା କରିଥିଲେ। କେତେକ ଲୋକ ପୁଲିସକୁ ଠେଲାପେଲା କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ପେସା ଗ୍ରାମସଭାର ଅତର୍କିତ ଆକ୍ରମଣର ମୁକାବିଲା କରି ପାରିନଥିଲେ। ଉତ୍ତ୍ୟକ୍ତ ଲୋକେ ପୁଲିସ କର୍ମଚାରୀଙ୍କୁ ଜନୈକ ଫ୍ଲୋରେନ୍ସ ବରୁଆଙ୍କ ଘରେ ପୂରାଇ ବାହାର ପଟୁ ଦ୍ୱାର ବନ୍ଦ କରି ଦେଇଥିଲେ।

ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସୁଶ୍ରୀ ସୌମ୍ୟା ମିଶ୍ର ଓ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନା ପୁଲିସ ଫୋର୍ସ ସହିତ ଗ୍ରାମକୁ ଯାଇ ଅଟକ ଥିବା ହାତୀବାରି ଆଇଆଇସି ଶ୍ୟାମ ଲାଲ ଓରାମ ଓ ଜଣେ ମହିଳା ପୁଲିସ୍‌ଙ୍କ ସମେତ ୭ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ପେସା ସପକ୍ଷବାଦୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର