ରାଉରକେଲା : ଆଜି ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା ଓ ଲୋକସଭା ଆସନରୁ ମୋଟ ୨୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୁନ୍ଦରଗଡ଼ ଲୋକସଭା ପାଇଁ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସୁନ୍ଦରଗଡ଼ ବିଧାନସଭା ପାଇଁ ୩ ଜଣ, ରାଜଗାଙ୍ଗପୁରରୁ ୩ ଜଣ , ତଳସରାରୁ ୨ ଜଣ, ରାଉରକେଲାରୁ ୪ ଜଣ, ରଘୁନାଥପାଲିରୁ ୪ ଜଣ, ବୀରମିତ୍ରପୁରରୁ ୨ ଜଣ ଏବଂ ବଣାଇଁରୁ ୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିସାନ, ସାରଦା ନାୟକ ଓ ସୁବ୍ରତ ତରାଇ ବିଭିନ୍ନ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ବଣାଇଁରୁ ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ମନୋନୟନପତ୍ର ଦାଖଲ କରିଛନ୍ତି।

Advertisment

ସୁନ୍ଦରଗଡ଼ ଲୋକସଭା ସମେତ ସୁନ୍ଦରଗଡ଼, ରାଜଗାଙ୍ଗପୁର, ତଳସରା ବିଧାନସଭା ପାଇଁ ଆଜି ସୁନ୍ଦରଗଡ଼ରେ ବରିଷ୍ଠ ବିଜେଡି ନେତା ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଶାନ, କଂଗ୍ରେସ ପ୍ରାର୍ଥିନୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳ, କଂଗ୍ରେସ ପ୍ରାର୍ଥୀ ଡ. ରାଜନ ଏକ୍କା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳା ଓ ରାଜନ ରାଜଗାଙ୍ଗପୁର ବିଧାନସଭା ପାଇଁ ଓ ଅମିତା ବିଶ୍ବାଳ ସୁନ୍ଦରଗଡ଼ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ବିଧାନସଭା ପାଇଁ ଆମ ଆଦ୍‌ମି ପାର୍ଟିରୁ ବିରାଜକାନ୍ତ କୁଲୁ, କୋଶଳ ସମାଜରୁ ପ୍ରଦୀପ ଭୋଇ, ତଳସରା ବିଧାନସଭା ପାଇଁ ଆମ୍‌ ଆଦ୍‌ମି ପାର୍ଟିର ସଞ୍ଜୀବ କୁମାର ଖାଲକୋ, ସ୍ବାଧୀନ ପ୍ରାର୍ଥୀ ରଥ ଖାଲକୋ, ରାଜଗାଙ୍ଗପୁର ବିଧାନସଭା ପାଇଁ ଜେଏମ୍‌ଏମ୍‌ର ସୁଶୀଲ କୁମାର ଖାଲକୋ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନ୍ୟପଟେ ଲୋକସଭା‌ ପାଇଁ ଆମ୍‌ ଆଦ୍‌ମୀ ପାର୍ଟିରୁ ବାସିଲ ଏକ୍କା, ଏସ୍‌ୟୁସିଆଇରୁ ଜଷ୍ଟିନ ଲୁଗୁନ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଉଦିତ ଅମାତ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ରାଉରକେଲାରେ ବୀରମିତ୍ରପୁର, ରଘୁନାଥପାଲି ଓ ରାଉରକେଲା ବିିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା।

ରଘୁନାଥପଲ୍ଲୀ ବିଜେଡି ବିଧାୟକ ପ୍ରାର୍ଥୀ ସୁବ୍ରତ ତରାଇ, ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ବିଜେପି ରାଉରକେଲା ବିଧାୟକ ପ୍ରାର୍ଥୀ ନିହାର ରାୟ ଓ ରଘୁନାଥପଲ୍ଲୀ ବିଜେପି ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୋଶଳ ଜନତା ଦଳ ପକ୍ଷରୁ ରାଉରକେଲା ନିର୍ବାଚନ ମଣ୍ଡଳି ପାଇଁ ସୁରମା ମିଶ୍ର ଓ ରଘୁନାଥପଲ୍ଲୀ ପାଇଁ ବିଶ୍ବକର୍ମା ବାଗ, ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀ ପୀତବାସ ମିଶ୍ର ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ବହୁଜନ ସମାଜ ପାର୍ଟିର ସୁନୀଲ କାରୁଆ ନାମାଙ୍କନ ଦାଖଲ କରିଛନ୍ତି।
ସେହିଭଳି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ପୂର୍ବତନ ବିଧାୟକ ମାନସିଦ ଏକ୍କା ଓ ଆମ୍‌ ଆଦ୍‌ମୀ ପାର୍ଟିର ବିନୟ କୁଲ୍ଲୁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଆଜି ବଣାଇ ନିର୍ବାଚନମଣ୍ତଳୀ ପାଇଁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସିପିଆଇଏମ ଦଳ ପକ୍ଷରୁ ବିଧାୟକ ଲକ୍ଷ୍ମଣ ମୁଣ୍ତା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ଅନିଲ ବାର୍ଲା, ସ୍ବାଧୀନ ଭାବେ ସୁରେଶ ଚନ୍ଦ୍ର ନାଏକ ଏବ˚ ଦଶରଥ କିସାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମୁଦାୟ ୧୦ଟି ନାମାଙ୍କନ ପତ୍ର ପ୍ରାର୍ଥୀମାନେ କ୍ରୟ କରିଥିବାବେଳେ ଆଜି ସୁଦ୍ଧା ୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

୪ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ଓ ସିପିଏମ୍‌ ପ୍ରାର୍ଥୀମାନେ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ।