ସୋର/ବାହାନଗା: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨୫ ଦିନ ବିତିଯାଇଛି। ଆଜିଠୁ ବାହାନଗା ଷ୍ଟେସନ୍‌ରେ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି। ଚଳିତ ମାସ ୨ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ରେଳଷ୍ଟେସନ୍‌ରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଏହିସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶୋବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ସହିତ ଧକ୍କା ହୋଇଥିଲା। ଫଳରେ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସିବିଆଇ ଦୁର୍ଘଟଣାର କାରଣ ଜାଣିବା ଏବଂ ଦୋଷୀଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।

Advertisment

ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ବୟାନ ରେକର୍ଡ ସରିଛି। ସେହିପରି ବାହାନଗା ଷ୍ଟେସନ୍‌ର ସିଗ୍‌ନାଲ୍‌ କନିଷ୍ଠ ଯନ୍ତ୍ରୀ (ଜେଇ) ଅମୀର ଖାନଙ୍କ ଭଡ଼ାଘର ମଧ୍ୟ ଯାଞ୍ଚ କରାଯାଇଛି। ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ମରାମତି କାମ ଜାରି ରହିଥିଲା। ଏପରିସମୟରେ ତଦନ୍ତ ଓ ମରାମତି କାମରେ ବାଧା ନଉପୁଜିବା ପାଇଁ ବାହାନଗା ଷ୍ଟେସନ୍‌ରେ କୌଣସି ଟ୍ରେନ୍‌ ରହୁ ନଥିଲା। ତେବେ, ଏଇଭିତରେ କ୍ଷେତ୍ରୀୟ ତଦନ୍ତ ଏବଂ ମରାମତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫଳରେ ଆଜିଠାରୁ ବାହାନଗା ଷ୍ଟେସନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି।

ଆଜି ଏଠାରେ ଦୁଇଟି ଟ୍ରେନ୍‌ ରହିଥିବା ବେଳେ ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ବାଘାଯତୀନ ଏକ୍ସପ୍ରେସ୍‌, ଖଡ଼ଗପୁର ଏକ୍ସପ୍ରେସ୍‌, ଭଦ୍ରକ-ବାଲେଶ୍ୱର ମେମୁ, ଭଦ୍ରକ-ଖଡ଼ଗପୁର ମେମୁ, ଜଳେଶ୍ୱର ମେମୁ ସ୍ପେସାଲ୍‌, ଖଡ଼ଗପୁର ଏକ୍ସପ୍ରେସ୍‌ ଓ ଭୁବନେଶ୍ୱର-ବାଲେଶ୍ୱର ମେମୁ ନିର୍ଦ୍ଧାରିତ ସମୟରେ ରହିବ ବୋଲି ଜଣାପଡ଼ିଛି। ଫଳରେ ଉକ୍ତ ଟ୍ରେନ୍‌ଗୁଡ଼ିକ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଏକପ୍ରକାର ଆଶ୍ବସ୍ତ ହୋଇଛନ୍ତି।