କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୫ଟି ବିଭାଗର କର୍ମଚାରୀଙ୍କୁ ଅଫିସ୍‌ ଆସିବା ମନା

ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ କଲେ ସରକାର

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସକାଳ ୭ଟାରୁ ସାମାଜିକ ଦୂରତା ରକ୍ଷା ପାଇଁ ସରକାରଙ୍କ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କାର୍ଯ୍ୟକାରୀ ହୋଇଛି। ଏହା ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଛାଡ଼ି ସ୍ବାଭାବିକ ଜୀବନଯାତ୍ରା ଉପରେ କଟକଣା ଅନୁପାଳନ କରିବାକୁ ଜନସାଧାରଣଙ୍କୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ୨୫ଟି ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବାକୁ ସରକାର ବାରଣ କରିଛନ୍ତି। ଏହି ସମୟରେ ସରକାରୀ କାର୍ଯ୍ୟ ଯେପରି ବ୍ୟାହତ ନ ହେବ, ସେଥିପାଇଁ ସମସ୍ତ ବିଭାଗର କର୍ମଚାରୀଙ୍କୁ କ୍ରିଟିକାଲ୍‌, ଆଂଶିକ କ୍ରିଟିକାଲ୍‌ ଓ ଅଣକ୍ରିଟିକାଲ ଏପରି ୩ଟି ବର୍ଗରେ ବାଣ୍ଟିଛନ୍ତି। କ୍ରିଟିକାଲ ବର୍ଗର କର୍ମଚାରୀ ନିୟମିତ ଅଫିସ ଆସିବା ସହ ଆଂଶିକ କ୍ରିଟିକାଲ୍‌ ବର୍ଗରେ ଆସୁଥିବା ବିଭାଗୀୟ କର୍ମଚାରୀମାନଙ୍କର ଅଫିସ ଆସିବା ନେଇ ସମ୍ପୃକ୍ତ ବିଭାଗର ଶାସନ ସଚିବମାନେ ନିଷ୍ପତ୍ତି ନେବେ। ଅନ୍ୟପଟେ ଅଣକ୍ରିଟିକାଲ ବର୍ଗ ବିଭାଗର କର୍ମଚାରୀମାନେ ଏହି ସମୟରେ ଅଫିସ୍‌ ନ ଆସି ଟେଲିଫୋନ୍‌ ଯୋଗେ କ୍ଷେତ୍ରୀୟ ସ୍ତରରେ ବିଭାଗୀୟ କାର୍ଯ୍ୟର ତଦାରଖ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଥାଉକି, ଗତକାଲି ସମସ୍ତ କର୍ମଚାରୀଙ୍କୁ ୩ଟି ବର୍ଗରେ ସାମିଲ କରି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଅଣକ୍ରିଟିକାଲ୍‌ ବର୍ଗରେ ଆସୁଥିବା ବିଭାଗୀୟ କର୍ମଚାରୀଙ୍କ ଅଫିସ ଆସିବା ଉପରେ ସମ୍ପୃକ୍ତ ବିଭାଗର ଶାସନ ସଚିବମାନେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ରବିବାର ସେଥିରେ କିଛିଟା ପରିବର୍ତ୍ତନ କରାଯାଇ ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ, ଅବକାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଜଙ୍ଗଲ ଓ ପରିବେଶ ବିଭାଗ, ହସ୍ତତନ୍ତ ଓ ବୟନ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ ଓ ଇଏସ୍‌ଆଇ, ଏମ୍‌ଏସ୍‌ଏମ୍‌ଇ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଇସ୍ପାତ ଓ ଖଣି, ପର୍ଯ୍ୟଟନ ଏବଂ ଜଳ ସମ୍ପଦ ବିଭାଗର କର୍ମଚାରୀମାନଙ୍କୁ ଅଣକ୍ରିଟିକାଲ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅଫିସ ଆସିବେ ନାହିଁ। କିନ୍ତୁ ଜରୁରୀ ପରିସ୍ଥିତିରେ ଯେ କୌଣସି କର୍ମଚାରୀଙ୍କୁ ଡକାଗଲେ ସମ୍ପୃକ୍ତ କର୍ମଚାରୀ ଅଫିସରେ ହାଜର ହେବେ। ଏହାସହିତ କ୍ଷେତ୍ରୀୟ ସ୍ତରରେ ଏହି ବିଭାଗଗୁଡ଼ିକର କାର୍ଯ୍ୟ କିପରି ଚାଲିଛି ସେଥିପାଇଁ ଫୋନ୍‌ ଯୋଗେ ବିଭାଗୀୟ ଅଧିକାରୀମାନେ ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସ୍‌ଆର୍‌ସି ଓ ଓସ୍‌ଡ୍‌ମା ବିଭାଗର କର୍ମଚାରୀମାନଙ୍କୁ କ୍ରିଟିକାଲ୍‌ ବର୍ଗରେ ସାମିଲ କରାଯାଇଛି। ଏସବୁ ବିଭାଗର ସମସ୍ତ କର୍ମଚାରୀ ନିୟମିତ ଅଫିସ ଆସିବା ସହ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସେବା ଯୋଗାଇବେ। ଏହାସହିତ ବିଭାଗୀୟ ନିର୍ଦ୍ଦେଶାଳୟ, ସରକାରୀ ଉଦ୍ୟୋଗଗୁଡ଼ିକ ସମ୍ପୃକ୍ତ ବିଭାଗର ଶାସନ ସଚିବଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ।

ସେହିପରି ବାଣିଜ୍ୟ ଓ ପରିବହନ, ଇଲେକ୍ଟ୍ରୋନିକ୍‌ସ ଓ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ, ଏସ୍‌ସି ଓ ଏସ୍‌ଟି ବିକାଶ, ଓ ନିର୍ମାଣ ବିଭାଗର କର୍ମଚାରୀମାନଙ୍କୁ ଆଂଶିକ କ୍ରିଟିକାଲ୍‌ ବର୍ଗରେ ସାମିଲ କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ବିଭାଗୀୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଅଫିସ ଆସିବେ। ଏସବୁ ବିଭାଗ ଅଧୀନରେ ଥିବା ସାଧାରଣ ଉଦ୍ୟୋଗୁଡ଼ିକରେ ସର୍ବନିମ୍ନ କର୍ମଚାରୀଙ୍କୁ ଅଫିସ ଆସିବା ଉପରେ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର