ମାଡ଼ି ଆସୁଛି ବଡ଼ ବନ୍ୟା, ହୀରାକୁଦ ଖୋଲିବ ୨୫ଟି ଗେଟ୍‌

ଭୁବନେଶ୍ୱର: ମହାନଦୀରେ ମାଡ଼ି ଆସୁଛି ବଡ଼ ବନ୍ୟା। ଏଥିପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସତର୍କ କରି ଦେଇଛନ୍ତି। ମହାନଦୀର ଉପର ମୁଣ୍ଡରେ ଜାରି ରହିଛି ଭାରୀ ବର୍ଷା। ଆଉ ଏହାର ପ୍ରଭାବ ପଡ଼ିଛି ହୀରାକୁଦ ବନ୍ଧ ଉପରେ। ହୀରାକୁଦ ନଦୀବନ୍ଧର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ସୁଦ୍ଧା ଏହାର ୨୫ଟି ଗେଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତିି। ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷାଜଳ ନିଷ୍କାସନ ହେଉଛି। ଏ ପରିପ୍ରେକ୍ଷୀରେ ମହାନଦୀର ତଳମୁଣ୍ଡରେ ରହୁଥିବା ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


ସୂଚନା ଯୋଗ୍ୟ ଯେ ହୀରାକୁଦ ବନ୍ଧ ପରିଚାଳନା ପାଇଁ ରହିଥିବା କର୍ଭ ରୁଲ ଅନୁଯାୟୀ ଯେତିକି ଜଳ ଆଜି ତାରିଖରେ ହୀରାକୁଦ ଡ୍ୟାମ ରିଜଭେୟରରେ ରହିବା କଥା ତା’ଠାରୁ ଅଧିକ ଜଳ ବର୍ତ୍ତମାନ ହୀରକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ତେଣୁ ହୀରାକୁଦ ବନ୍ଧର ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ପାଇଁ ବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏ ପରିପ୍ରେକ୍ଷୀରେ ହୀରାକୁଦର ୨୫ଟି ଗେଟ ଖୋଲାଯାଇ ଏହା ଜରିଆରେ ୪ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି। ହୀରାକୁଦ ବନ୍ଦରୁ ନିଷ୍କାସିତ ହେଉଥିବା ଜଳ ଆସନ୍ତା ଗୁରୁବାର ସକାଳେ କଟକର ମୁଣ୍ଡୁଳି ଠାରେ ପହଞ୍ଚିବ ବୋଲି କୁହାଯାଇଛି।

ତେବେ ହୀରାକଦ ବନ୍ଧର ୨୫ଟି ଗେଟ୍‌ ଖୋଲା ଯାଉଥିବାରୁ ମହନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନ ଶ୍ରୀ ସେଠୀ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର