ଟ୍ରକ୍‌କୁ ଧକ୍କା ଦେଲା ସାରଳା ବସ୍, ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ବଣାଇଁଗଡ଼/ଦେବଗଡ଼ : ରାଉରକେଲାରୁ ଅନୁଗୁଳ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ସାରଳା’ ଆଜି ସକାଳେ ଦେବଗଡ଼ ଜିଲ୍ଲାର ବାରକୋଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ମାଲ୍ ବୋଝେଇ ଟ୍ରକ୍ ସହିତ ବସ୍‌ର ମୁହାଁମୁହିଁ ଧକ୍କା ହେବାରୁ ୨୫ରୁ ଅଧିକ ଯାତ୍ରୀଙ୍କ ସମେତ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି। ଖବରପାଇ ବାରକୋଟ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାରକୋଟ, ଦେବଗଡ଼ ଓ ବଣାଇଁ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ‘ସାରଳା’ ଘରୋଇ ଯାତ୍ରୀବାହୀ ବସ୍‌ (ଓଆର୍‌-୧୪କ୍ୟୁ-୫୧୭୪) ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାତ୍ରା କରିଥିଲା। ସକାଳ ପ୍ରାୟ ସାଢ଼େ ଆଠଟା ପାଖାପାଖି ସମୟରେ ବସ୍‌ଟି ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍ (ଏମପି-୦୧-ଏଚବି- ୬୧୫୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ବାରକୋଟ ଥାନାକୁ ଖବର ଦେଇଥିଲେ। ପରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର