ପିକ୍‌ଅପ୍‌ ଭ୍ୟାନ୍‌ ସହ ୨୫ କେନ୍ଦୁଗଣ୍ଡି ଜବତ, ୨ ଅଟକ

ମୁରିବାହାଲ: ମୁରିବାହାଲ ରେଞ୍ଜ ଗୁଡ଼ିଘାଟ-ଟିକ୍ରାପଡ଼ା ରାସ୍ତାର ଅନ୍ତର୍ଲା ଗ୍ରାମ ନିକଟରୁ ବେଆଇନ ଚୋରା ଚାଲାଣ ହେଉଥିବା ୨୫ଖଣ୍ଡ ମୂଲ୍ୟବାନ କେନ୍ଦୁଗଣ୍ଡିକୁ ମୁରିବାହାଲ ବନବିଭାଗ ସୋମବାର ଜବତ କରିଛି। ଏହା ସହିତ ଚୋରା ଚାଲାଣରେ ବ୍ୟବହୃତ ପିକ୍‌ଅପ୍‌ ଭ୍ୟାନ୍‌ (ଓଆର୍‌ ୦୩ ଡି ୦୯୦୭)କୁ ମଧ୍ୟ ଜବତ କରାଯାଇ ଦୁଇଜଣଙ୍କୁ ଅଟକ ରଖାଯାଇଛି। ବଲାଙ୍ଗୀର ଡିଏଫ୍‌ଓଙ୍କ ନିର୍ଦେଶକ୍ରମେ ମୁରିବାହାଲ ବନବିଭାଗ ପକ୍ଷରୁ ସୋମବାର ଭୋର ୪.୩୦ରେ ଅନ୍ତର୍ଲା ନିକଟରେ ପେଟ୍ରୋଲିଂ ଚାଲିଥିଲା। ଏହି ରାସ୍ତାରେ ଯାଉଥିବା ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ବନବିଭାଗ କର୍ମଚାରୀ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲେ। ସେଥିରେ ବେଆଇନ କେନ୍ଦୁଗଣ୍ଡି ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା।

ଗାଡ଼ି ସହ ଦୁଇ ଚୋରା ଚାଲାଣକାରୀ ଲୋଇସିଂହା ଥାନା ନୂଆପାଲି ଗ୍ରାମର ଜଗଦୀଶ ବାଙ୍କ (୩୪) ଓ ମେଲଛାମୁଣ୍ଡା ଥାନା ଟେମଲି ଗ୍ରାମର ଥବୀର ପୋଢ଼ (୩୨)ଙ୍କୁ ଆଣି ମୁରିବାହାଲ ରେଞ୍ଜ ଅଫିସରେ ଅଟକ ରଖାଯାଇଥିଲା। ଜବତ ୨୫ଖଣ୍ଡ କେନ୍ଦୁଗଣ୍ଡିର ଆନୁମାନିକ ମୂଲ୍ୟ ୨ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ମୁରିବାହାଲ ଭାରପ୍ରାପ୍ତ ରେଞ୍ଜର ଲିଙ୍ଗରାଜ ଭୋଇ, ଯଏଁତରା ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତି, ଫରେଷ୍ଟଗାର୍ଡ ସୁମନ୍ତ ଧରୁଆ, ଶାନ୍ତନୁ ସିଂ ନିନାଙ୍କ ସହ ବନବିଭାଗର ଆଇଇପିସିଏ ସ୍କ୍ବାଡ ସାମିଲ ଥିବା ଜଣାପଡ଼ିଛି। ମଙ୍ଗଳବାର ଅଟକ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର