କବାଟବନ୍ଧ: ରାଜସ୍ବ ବିଭାଗ ପକ୍ଷରୁ ଆଜି ଧର୍ମଶାଳା ତହସିଲ ଅଧୀନ ଚକ୍ରଧରପୁର ଓ କୁସୁନପୁରଠାରେ ଥିବା ୨୦ଟି କ୍ରସର ଉପରେ ଚଢ଼ଉ କରାଯାଇଛି। ବେଆଇନ କାରବାର ପାଇଁ ସେମାନଙ୍କୁ ୨୫ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏହାଛଡ଼ା କଳାପଥର ବୋଝେଇ କରି ନେଉଥିବା ୮ଟି ଟ୍ରାକ୍ଟରକୁ ମଧ୍ୟ ରାଜସ୍ବ ବିଭାଗ ଜବତ କରିଛି ଗାଡ଼ି ମାଲିକମାନଙ୍କୁ ନୋଟିସ କରିଛି।

Advertisment

ଆଜି ପୂର୍ବାହ୍ନରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ଚନ୍ଦନ କୁମାର ସାହୁ, ବିରଞ୍ଚି କୁମାର ବୋଇତେଇ, ମାନସ ରଞ୍ଜନ ବେଜ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ଜେନା ପ୍ରମୁଖ କୁସୁନପୁର ଓ ଚକ୍ରଧରପୁରରେ ଥିବା ୨୦ଟି କ୍ରସର ଯାଞ୍ଚ କରିଥିଲେ। କ୍ରସରଗୁଡ଼ିକ ସମସ୍ତ ସରକାରୀ ନିୟମ ପାଳନ କରି ଚାଲୁଛି କି ନାହିଁ ତାହା ତଦାରଖ କରିଥିଲେ। ଏହାଛଡ଼ା କ୍ରସରରେ ସିସି କ୍ୟାମେରା ଲାଗିଛି କି ନାହିଁ, କଞ୍ଚାମାଲ ଆଣିବା ପାଇଁ କେଉଁ ଲିଜ୍‌ଧାରୀଙ୍କ ସହ ଚୁକ୍ତି କରିଛନ୍ତି। ଯେତିକି କଞ୍ଚାମାଲ ଗଚ୍ଛିତ ଅଛି ତା’ର କାଗଜପତ୍ର ଆଦି ଯାଞ୍ଚ କରିଥିଲେ। ଅନିୟମିତତା ଥିବାର ଜଣାପଡ଼ିବା ପରେ ୨୦ଟି କ୍ରସର ଉପରେ ୨୫ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟରେ ଜରିମାନା ପୈଠ ନକଲେ ଲଘୁଖଣିଜ ସମ୍ପଦ ଚୋରି, ସରକାରୀ ରାଜସ୍ବ କ୍ଷତି ତଥା ପରିବେଶ ନଷ୍ଟ ଆଇନର ଧାରାରେ କ୍ରସର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି। ସେହିପରି ଏହି ଚଢ଼ଉ ବେଳେ କଳାପଥର ବୋଝେଇ ୮ ଟି ଟ୍ରାକ୍ଟରକୁ ରାଜସ୍ବ ବିଭାଗ ଜବତ କରିଛି। ଟ୍ରାକ୍ଟର ଚାଳକମାନେ ରାଜସ୍ବ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖି ଗାଡ଼ି ଛାଡ଼ି ପଳାଇଯାଇଥିଲେ। ଗତମାସ ୨୨ ତାରିଖରେ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ବିଛାଖଣ୍ତି ଓ ଚକ୍ରଧରପୁର ଅଞ୍ଚଳର ୨୧ ଟି କ୍ରସର ଉପରେ ଚଢ଼ଉ କରାଯାଇ ୩୦ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।