କଟକ/ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା। ଏଥିରେ ୫ଶହ ଟଙ୍କିଆ, ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ତାଙ୍କ ବୈପାରିଗୁଡ଼ା କ୍ବାର୍ଟର୍ସ, ବସ୍ ଓ ଅଫିସରୁ ସାଢ଼େ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏବେ ବି ଟଙ୍କା ଗଣା ଚାଲିଛି।

Advertisment

ସୂଚନାଯୋଗ୍ୟ,  ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାବାବୁ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧରିପକାଇଛନ୍ତି। ଫଳରେ ଶ୍ରୀ ଶତପଥୀ ଭିଜିଲାନ୍ସର ଜାଲରେ ଛନ୍ଦି ହୋଇଯାଇଥିଲେ। ସଂପୃକ୍ତ ପୁଲିସ ବାବୁଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ବସ୍‌ରୁ ଓହ୍ଲାଇ ପଚରାଉଚରା କରିଥିଲେ।

ସୂଚନା ଅନୁସାରେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିଜ ଘର କଟକ ଜିଲ୍ଲାରେ। ସେ ଗତକାଲି ବୈପାରିଗୁଡ଼ାରୁ ଏକ ଘରୋଇ ବସ୍‌ (ରିଲାଏନ୍ସ)ରେ କଟକ ଯାଉଥିଲେ। ପାଖରେ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଏନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୂର୍ବ ସୂଚନା ଆଧାରରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ କଟକ ଅଭିମୁଖେ ଯାଉଥିବା ରିଲାଏନ୍ସ ବସ୍‌ ଉପରେ ଅତର୍କିତ ଚଢ଼ଉ କରିଥିଲେ। ସେହି ସମୟରେ ବସ୍‌ଟି ଜୟପୁରସ୍ଥିତ ଟାଙ୍କୁଆ ନିକଟରେ ଥିଲା। ଚଢଉ ସମୟରେ ଭିଜିଲାନ୍ସ କର୍ମଚାରୀଙ୍କୁ ଶ୍ରୀ ଶତପଥୀଙ୍କ ନିକଟରୁ ଦୁଇ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିଥିଲା।