ସମ୍ବଲପୁର/ମାନେଶ୍ୱର: ସମ୍ବଲପୁର ସହରରେ ପୁଣିଥରେ ବନ୍ଧୁକ ମୁନରେ ଲୁଟ୍‌ ହୋଇଛି। ସମ୍ବଲପୁର ସଦର ଥାନା ଅଧୀନ ମାନେଶ୍ବରଠାରେ ଥିବା ମାନଧାତା ବାବା ଜ୍ବେଲେରି ଦୋକାନରୁ ଏହି ଲୁଟ ହୋଇଛି। ୫ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ୨୫ ଲକ୍ଷରୁ ଅଧିକ ମୂଲ୍ୟର ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି।

Advertisment

ପୁଲିସ ସୂଚନା ଅନୁଯାୟୀ, ରବିବାର ଦିନ ସାଢ଼େ ୧୦ଟା ପାଖାପାଖି ୨ଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସିଥିଲେ। ପ୍ରଥମେ ୩ ଜଣ ବାଇକ୍‌ରେ ଆସି ପଶିଥିଲେ। ତାପରେ ଆଉ ୨ ଜଣ ଆଉ ଏକ ବାଇକ୍‌ରେ ଦୋକାନ ଭିତରକୁ ଯାଇଥିଲେ। ୨ ଜଣ ଦୋକାନର ଷ୍ଟାଫ୍‌ଙ୍କୁ ବନ୍ଧୁକ ଦେଖାଇ ଥିବା ବେଳେ ଅନ୍ୟମାନେ ଅଳଙ୍କାର ଲୁଟିବା ଆରମ୍ଭ କରିଥିଲେ। ସେମାନେ ପାଖାପାଖି ୩୦୦ ଗ୍ରାମ୍‌ ସୁନା ଅଳଙ୍କାର ଓ କିଛି ରୁପା ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଦୋକାନ ମାଲିକ କହିଛନ୍ତି। ଦୁର୍ବୃତ୍ତମାନେ ଓଡ଼ିଆରେ କଥା ହେଉଥିଲେ। ଏ ନେଇ ସୂଚନା ପାଇବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ସଦର ଏସ୍‌ଡିପିଓଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ଅନୁସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିଲେ। ଲୁଟ୍‌ର ପୂରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସମସ୍ତେ ମୁହଁକୁ ଘୋଡ଼ାଇ ରଖିଥିଲେ। ଲୁଟିବା ପରେ ୧୦ ମିନିଟ୍‌ ମଧ୍ୟରେ ଦୁର୍ବୃତ୍ତମାନେ ଗୋଟିଏ ହୋଣ୍ଡା ସାଇନ୍‌ ଓ ଗୋଟିଏ ପଲସର୍‌ ଗାଡ଼ିରେ ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜ୍‌ରେ ସେମାନଙ୍କ ବାଇକ୍‌ ନମ୍ବର ମଧ୍ୟ ଜଣାପଡ଼ୁଛି। ସେପଟେ ଲୁଟ ପରେ ମାନେଶ୍ୱର ଅଞ୍ଚଳର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରିବା ସହ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛି।