ବଡ଼ଖବର: ରାଜ୍ୟରେ ପୁଣି ୨୫ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରୁ ୨୪, ଭୁବନେଶ୍ବରରୁ ୧

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ର‌ାନ୍ତଙ୍କ ସଂଖ୍ୟା ୭୧ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖରାପ ଖବର ଆସିଛି । ରାଜ୍ୟରୁ ପୁଣି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ୨୪ ଜଣ ଥିବା ବେଳେ ଭୁବନେଶ୍ବରରୁ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ର‌ାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି।

ଗଂଜାମ ଜିଲ୍ଲାରେ ଆଜି ସକାଳୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଆଜି ମୋଟ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ଥିବା ବେଳେ ଏହି ସଂଖ୍ୟା ୭୧ରେ ପହଞ୍ଚିଛି। ମାତ୍ର ୬ ଦିନ ମଧ୍ୟରେ କରୋନା ମାନଚିତ୍ରରେ ସବୁଠାରୁ ବଡ଼ ସ୍ଥାନ ନେଇଛି।  ଗଂଜାମ ଜିଲ୍ଲାରେ ଗତ ୩ ତାରିଖରେ ପ୍ରଥମ ଥର ପାଇଁ ଜଣେ ୧୭ ବର୍ଷିଅ ଓ ଆଉ ଜଣେ ୨୨ ବର୍ଷିଅ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାର ଦିନକ ପରେ ପୁଣି ଜଣେ ଓ ୬ ତାରିଖରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଗତକାଲି ସକାଳୁ ୧୭ ଜଣ ଓ ସନ୍ଧ୍ୟାରେ ପୁଣି ୭ ଜଣ କରୋନା ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଗଂଜାମ ଜିଲ୍ଲାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶତପ୍ରତିଶ ବ୍ୟକ୍ତି ହେଉଛନ୍ତି ସୁରତ ଫେରନ୍ତା ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୨ ହଜାର ୯୭୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୮ଟି ଜିଲ୍ଲାରୁ ମୋଟ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୦୬ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର