ତାମିଲନାଡ଼ୁରେ ଅଟକି ରହିଛନ୍ତି ପଶ୍ଚିମ ଓଡ଼ିଶାର ୨୫ରୁ ଅଧିକ ଯୁବତୀ

ସମ୍ବଲପୁର: ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଲୋକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଅସହାୟ ସ୍ଥିତିରେ ରହିଛନ୍ତି। ବିଶେଷ କରି ବାହାରକୁ କାମ ପାଇଁ ଯାଇଥିବା ଗରିବ ଯୁବକଯୁବତୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୫ରୁ ଅଧିକ ଯୁବତୀ ତାମିଲନାଡୁ ତ୍ରିପୁର ଜିଲ୍ଲାର ମଙ୍ଗଲମ୍‌ ବ୍ଲକ୍ ଅନ୍ତର୍ଗତ ବିତିପାଲିଆମ୍‌ ନାମକ ସ୍ଥାନରେ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରେ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ଝିଅ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଯୁବତୀମାନେ ସେଠାରେ ଆର୍‌ଇ ଟେକ୍ସଟାଇଲ୍ ଆଣ୍ଡ ଫେସନ୍ ନାମକ ଏକ ସିଲେଇ ସଂସ୍ଥାରେ କାମ କରନ୍ତି। କିନ୍ତୁ ୨୪ ତାରିଖରେ ଲକ୍‌ଡାଉନ୍‌ ଘୋଷଣା ହେବା ପରଠାରୁ ଉକ୍ତ କମ୍ପାନିର କାମ ବନ୍ଦ ହୋଇଯାଇଛି। ଏହି ଯୁବତୀମାନେ ଯେଉଁଠାରେ ରହୁଛନ୍ତି ତାହା ଜନବସତିଠାରୁ ବେଶ୍ ଦୂରରେ ହୋଇଥିବା ବେଳେ ଆଖପାଖରେ ଖାଦ୍ୟପାନୀୟ ବା ତେଜରାତି ସାମଗ୍ରୀ କିଣିବାର କୌଣସି ସୁବିଧା ନାହିଁ। ସେମାନେ ଯାହା କିଛି ଖାଦ୍ୟ ପଦାର୍ଥ ଗଚ୍ଛିତ ରଖିଥିଲେ ତାହା ବି ଶେଷ ହେବାକୁ ବସିଛି। ସେମାନେ ବଜାରକୁ ଯିବା ପାଇଁ ଯାନବାହନ ନାହିଁ। ଏଭଳି ସ୍ଥିତିରେ ଅସହାୟ ହୋଇ ଏହି ଯୁବତୀମାନେ ନିଜ ନିଜ ଘର ଲୋକଙ୍କୁ ଖବର ଦେଇଥିଲେ। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଡଙ୍ଗାଯୋର ଗାଁର କେନ୍ଦୁପତ୍ର ମୁନ୍‌ସୀ ପଦ୍ମାବତୀ ବାଗ ଏ ସଂପର୍କରେ କେନ୍ଦୁପତ୍ର ଶ୍ରମିକ ସଂଘର ରାଜ୍ୟ ସଭାପତି ତଥା ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତିଙ୍କୁ ସୂଚନା ଦେଇଥିଲେ।

ଶ୍ରୀ ମହାନ୍ତିଠାରୁ ଏ ବିଷୟ ଜାଣିବା ପରେ କେନ୍ଦୁପତ୍ର କର୍ମଚାରୀ ସଂଘର ସଂପାଦକ ସଂଜିତ ମହାନ୍ତି ଉକ୍ତ ଯୁବତୀମାନଙ୍କ ସଂପର୍କରେ ତୁରନ୍ତ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଜଣାଇଥିଲେ। ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଖବର ଦେବା ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଲ୍‌ପଲାଇନ୍ ନମ୍ବର (୦୬୭୪-୨୩୯୨୧୧୫)ରେ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ। ବହୁ ବିଳମ୍ବରେ ଫୋନ୍‌ ଲାଗିବା ପରେ ଏ ସଂପର୍କରେ ଅଭିଯୋଗ ପଞ୍ଜୀକୃତ କରାଇଛନ୍ତି। ତାମିଲନାଡ଼ୁରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ର ବନିତା ବାଗ, ପିଙ୍କି ମୁଣ୍ଡା, ସୁନିତା ମୁଣ୍ଡା, ଉଜାର ମଣି, ରଜନୀ ବାଗ, ବୀଣା କିସାନ, ଧନୁପାଲିର ନିରୂପମା ସିବଲି, ଜାମିନି ସିବଲି, ବଲାଙ୍ଗୀରର ଗୀତାଞ୍ଜଳି ମାଝି, ଜ୍ୟୋତ୍ସ୍ନା ମାଝି, ନନ୍ଦିନୀ ନାୟକ, ବର୍ଷା ନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ୨୫ ଜଣ ଓ ରାଜ୍ୟର ଅନ୍ୟ ଅଞ୍ଚଳର ଆହୁରି ଅନେକ ଓଡ଼ିଆ ଯୁବତୀ ଅଟକି ରହିଥିବା ଜଣା ପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ବରିଷ୍ଠ ନେତା ବିଜୟ ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର