ଗାର୍ଗୀ ଶତପଥୀ

ସମ୍ବଲପୁର: ସମ୍ବଲପୁର ଜେଲ୍‌ରେ ଅଛନ୍ତି ୧୦୦ରୁ ଅଧିକ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟର ଅଣଓଡ଼ିଆ କଏଦୀ। ଜେଲ୍‌ର ସମୁଦାୟ ବିଚାରାଧୀନ କଏଦୀଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ୨୫ ପ୍ରତିଶତ ରହିଛି। ଯେଉଁମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଗଞ୍ଜେଇ ଚୋରାଚାଲାଣ ଅର୍ଥାତ ଏନ୍‌ଡିପିଏସ୍‌ ମାମଲାରେ ଧରା ହୋଇ ଆସିଛନ୍ତି। କିନ୍ତୁ ଦଣ୍ଡପ୍ରାପ୍ତ ୧୫୭ ମଧ୍ୟରୁ ଅଣଓଡ଼ିଆ କଏଦୀ ସଂଖ୍ୟା ୧ପ୍ରତିଶତ ମଧ୍ୟରେ ରହିଥିବା କହିଛନ୍ତି ସମ୍ବଲପୁର ମଣ୍ଡଳ ଜେଲ୍‌ର ଜେଲର୍‌ ସନ୍ତୋଷ ବାରିକ। ଅର୍ଥାତ ପ୍ରତିବର୍ଷ ଏନ୍‌ଡିପିଏସ୍‌ ମାମଲାରେ ବିଚାରାଧୀନ ଅଣଓଡ଼ିଆ କଏଦୀଙ୍କ ସଂଖ୍ୟା ବଢୁଛି ସତ, କିନ୍ତୁ ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବରୁ ତହିଁରୁ ଅନେକ ଖଲାସ ହୋଇ ଯାଉଛନ୍ତି। 

Advertisment

୨୦୨୧ ମସିହାରେ ପେଟ୍ରୋଲିୟମ ଟ୍ୟାଙ୍କରରେ ୮.୮୦ କ୍ବିଣ୍ଟାଲର ଗଞ୍ଜେଇ ଚାଲାଣ ବେଳେ ପଶ୍ଚିମବଙ୍ଗର ୨ ଜଣଙ୍କୁ ଗିରଫ କରି ନାରକୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ କୋର୍ଟଚାଲାଣ କରିଥିଲା। ଜାତୀୟ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ଥରକେ ଏତେ ପରିମାଣର ଗଞ୍ଜେଇ ଜବତ ଘଟଣା ଚର୍ଚାର ବିଷୟ ହୋଇଥିଲା। କିନ୍ତୁ ୨୦୨୪ ମସିହାରେ ଉଭ‌ୟେ ପ୍ରମାଣ ଅଭାବରୁ ଖଲାସ ହୋଇଯାଇଥିଲେ। ସେହିଭଳି ୨୦୨୩ ମସିହାରେ ଦିଲ୍ଲୀର ଗାଡ଼ି ବ୍ୟବସାୟୀ ସୋନୁ ସିଂ ଏବଂ ଆଇନ ଛାତ୍ର ରିଙ୍କୁ ତୋମାର ୧.୨୦ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବାବେଳେ ସମ୍ବଲପୁରର ଶାସନରେ ଧରାପଡ଼ିଥିଲେ ଓ ଗତ ଅଗଷ୍ଟରେ ଖଲାସ ହୋଇଥିଲେ। ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନା ଅନୁସାରେ, ୨୦୨୪ରେ ଗଞ୍ଜେଇ ଚୋରାଚାଲାଣରେ ୪୨ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଯେଉଁଥିରେ ଅଧିକାଂଶ ବିହାର ଏବଂ ଝାଡ଼ଖଣ୍ଡର ଅଧିବାସୀ ଅଛନ୍ତି। ଅତିରିକ୍ତ ଅବକାରୀ ଅଧୀକ୍ଷକ କହନ୍ତି, ଛତିଶଗଡ଼, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟ ସହିତ ସମ୍ବଲପୁରର ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା ରହିଛି। ମାଫିଆମାନେ ବୌଦ୍ଧକନ୍ଧମାଳ ଭଳି ବ୍ୟାପକ ଚାଷ ହେଉଥିବା ଜିଲ୍ଲାରୁ ଗଞ୍ଜେଇ କିଣି ସମ୍ବଲପୁର ଦେଇ ବାହାର ରାଜ୍ୟକୁ ଚାଲାଣ କରିଥାଆନ୍ତି।

ଆଇନଜୀବୀ ପ୍ରଦ୍ୟୋତ ଶର୍ମା କହନ୍ତି, ସେ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ସମ୍ପର୍କିତ ଯେତେ ମାମଲା ପରିଚାଳନା କରିଛନ୍ତି ସେମାନେ ସବୁ ବିହାର, ଝାଡ଼ଖଣ୍ଡ, ୟୁପିର ଆର୍ଥିକ ଏବଂ ସାମାଜିକ ଭାବରେ ଦୁର୍ବଳ ବର୍ଗର ଅଟନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ପଶ୍ଚିମ ଓଡ଼ିଶାରେ ଚାଷ ହେଉଥିବା ଗଞ୍ଜେଇର ଦର ଦେଶର ଯେକୌଣସି ଅଞ୍ଚଳ ଠାରୁ ଅତି ଶସ୍ତା ଥିବାରୁ ଏହି ଅଞ୍ଚଳକୁ ହିଁ ଦେଶର ଗଞ୍ଜେଇ ମାଫିଆମାନେ ଟାର୍ଗେଟ କରନ୍ତି। ପଶ୍ଚିମଓଡ଼ିଶାରେ ଦର କିଲୋ ପିଛା ୩ ହଜାର ଟଙ୍କା, କେରଳରେ ୫୦ ହଜାର, ଝାଡ଼ଖଣ୍ଡ ଓ ବିହାରରେ ୧୨ ହଜାର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ୧୫ ହଜାର ଅଟେ। ଗଞ୍ଜେଇର ଗୁଣାତ୍ମକ ମାନ ଏବଂ ସମୟ ଅନୁସାରେ ବି ତାର ଦର ବଦଳିଥାଏ। ତେଣୁ ଗଞ୍ଜେଇ ମାଫିଆମାନେ ନିଜ କର୍ମଚାରୀ ବା ଗରିବଲୋକଙ୍କ ଜରିଆରେ ଅତି ସ୍ବଳ୍ପ ମୂଲ୍ୟରେ କିଣି ବାହାରେ ମାତ୍ରାଧିକ ଦରରେ ବିକ୍ରି କରନ୍ତି। ସମ୍ବଲପୁରରେ ଧରାପଡ଼ିଥିବା ବ୍ୟକ୍ତିମାନେ ମାଫିଆମାନଙ୍କର ତଳିଆ କର୍ମଚାରୀ ଅଟନ୍ତି। କେରଳ ତୁଳନାରେ ଓଡ଼ିଶାରେ ଗଞ୍ଜେଇ ସହିତ ଧରାପଡ଼ୁଥିବା ବ୍ୟକ୍ତି ସହଜରେ ଜାମିନ ପାଇବା ଏବଂ ଦଣ୍ଡାଦେଶ ପାଉଥିବା ସଂଖ୍ୟା ଅତି କମ୍‌ ଥିବାରୁ ଓଡ଼ିଶାକୁ ମାଫିଆମାନେ ଟାର୍ଗେଟ୍‌ କରନ୍ତି। କେବଳ ସମ୍ବଲପୁର ନୁହେଁ; ବୌଦ୍ଧ, ଫୁଲବାଣୀ, ଭବାନୀପାଟଣା ଜେଲ୍‌ଗୁଡ଼ିକରେ ଅଣଓଡ଼ିଆ କଏଦୀଙ୍କ ସଂଖ୍ୟା ଅଧିକ ରହିଛି।