ଜଗନ୍ନାଥପ୍ରସାଦ : ଭଗବାନଙ୍କ ଭରସାରେ ଚାଲିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। କାରଣ ଆବଶ୍ୟକ ୧୨ ଜଣ ଡାକ୍ତର ଜାଗାରେ ଜଣେମାତ୍ର ଡାକ୍ତରଙ୍କୁ ନେଇ ଡାକ୍ତରଖାନା ପରିଚାଳିତ ହେଉଛି। ସେହିପରି ଛାମୁଣ୍ଡା, ବରଗାଁ, ଅଳସୁ ଓ ତାରସିଂରେ ମୋଟ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ, ତାହା ମଧ୍ୟ ଡାକ୍ତରଶୂନ୍ୟ ହୋଇଯାଇଛି। ଫଳରେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଜଗନ୍ନାଥପ୍ରସାଦ ବ୍ଲକ୍ର ୨୫ ପଞ୍ଚାୟତର ଲୋକଙ୍କ ପାଇଁ ଜଣେ ମାତ୍ର ଡାକ୍ତର ସାହାଭରସା ପାଲଟିଛନ୍ତି। ଯାହାକି ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷକରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦବି ଖାଲି ପଡ଼ୁଥିବା ବେଳେ ଏହାକୁ ପୂରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର ଯେମିତି ନିଘା ନାହିଁ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବହୁବାର ଆନ୍ଦୋଳନ ବି ହୋଇଛି। ଅନେକଥର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ଫଳ ଶୂନ। ଅଭିଯୋଗ ହେଲେ, କେବଳ କାମଚଳା ନୀତିରେ ଡେପୁଟେସନରେ ସ୍ୱଳ୍ପଦିନ ପାଇଁ ଜଣେ ଦୁଇଜଣ ଡାକ୍ତରଙ୍କୁ ପଠାଇ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ଝାଡ଼ିଦେଉଛି। ଏହିକ୍ରମରେ ପ୍ରତିବାଦ ପରେ କିଛିଦିନ ତଳେ ୪ ଜଣ ଡାକ୍ତରଙ୍କୁ ଏଠାରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ଧୀରେ ଧୀରେ ସେମାନଙ୍କ ମଧ୍ୟରୁ ୩ ଜଣ ଡାକ୍ତରଙ୍କୁ ଏଠାରୁ ବଦଳି କରିଦିଆଗଲା। ଫଳରେ ଜଣେ ମାତ୍ର ଡାକ୍ତରଙ୍କ ପକ୍ଷେ ରୋଗୀ ଚିକିତ୍ସା ଏବଂ ସରକାରୀ କାର୍ଯ୍ୟ ସମ୍ଭାଳିବା ଓ କାଗଜପତ୍ର କାମ କରିବା ସମ୍ଭବପର ହେଉନି। ଏହାସହ ଉକ୍ତ ଡାକ୍ତରଜଣକ ମେଡିକାଲ ଅଫିସର୍ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି।
ଜଣେ ଡାକ୍ତରରେ ଚାଲିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦରକାର ୧୨
୪ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଶୂନ୍ୟ
ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ବ୍ଲକ୍ ପ୍ରୋଗ୍ରାମ ହେଲ୍ଥ ଅଫିସର, ଜଣେ ଦାନ୍ତ ଡାକ୍ତର, ଚାରିଜଣ ଏମବିବିଏସ୍ ଡାକ୍ତର, ଜଣେ ଜୁନିୟର ଡାକ୍ତର, ଜଣେ ମେଡିସିନ୍ ବିଶେଷଜ୍ଞ, ଜଣେ ମେଡିକାଲ୍ ଅଫିସର, ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଜଣେ ଶିଶୁରୋଗ, ଜଣେ ସର୍ଜନ୍ ବିଶେଷଜ୍ଞ ଏବଂ ଜଣେ ଅଧୀକ୍ଷକଙ୍କ ସମେତ ମୋଟ ୧୨ ଜଣ ଡାକ୍ତରଙ୍କ ଆବଶ୍ୟକ ରହିଛି।
କିନ୍ତୁ ଏଠାରେ କେବଳ ଜଣେ ଏମ୍ବିବିଏସ ଡାକ୍ତରଙ୍କୁ ଛାଡ଼ି ଅନ୍ୟ ସମସ୍ତ ପଦ ଖାଲିପଡ଼ିଛି। ଫଳରେ ଏଭଳି ପରିସ୍ଥିତିରେ ରୋଗୀ ଚିକିତ୍ସା କେମିତି ଚାଲୁଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ପ୍ରତିଦିନ ଆଉଟ୍ଡୋର୍ ଓ ଇନ୍ଡୋର୍କୁ ୨୦୦ରୁ ଅଧିକ ରୋଗୀ ଆସୁଥିବା ବେଳେ ସେମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ସମ୍ଭବପର ହୋଇପାରୁନି। ଫଳରେ ଡାକ୍ତରଖାନା ଉପରେ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ରଙ୍ଗବେରଙ୍ଗର କୋଠା ବାହାରକୁ ଚକାଚକ୍ ଦିଶୁଥିବା ବେଳେ ଭିତର ଚିତ୍ର କିନ୍ତୁ ସଂଗିନ୍ ପାଲଟିଛି। ଡାକ୍ତର ଅଭାବ ପୂରଣ ଦିଗରେ ସ୍ବାସ୍ଥ୍ୟବିଭାଗ ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି ସ୍ଥାନୀୟବାସିନ୍ଦା ଅଭିଯୋଗ ଆଣିଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବି ଡାକ୍ତରଶୂନ୍ୟ ରହିବା ସମସ୍ୟାକୁ ଆହୁରି ଦ୍ବଗୁଣିତ କରିଛି।
ଅନ୍ୟପକ୍ଷରେ ପୂରା ବ୍ଲକ୍ରେ ଜଣେ ମାତ୍ର ଡାକ୍ତର କାର୍ଯ୍ୟରତ ଅଛନ୍ତି। କିନ୍ତୁ ବ୍ଲକ୍ ସ୍ବାସ୍ଥ୍ୟକେନ୍ଦ୍ର ପୋର୍ଟାଲରେ କିନ୍ତୁ ୫ ଜଣ ଡାକ୍ତର କାର୍ଯ୍ୟରତ ଥିବା ତଥ୍ୟ ଦର୍ଶାଯାଇଛି। ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା.ଦାସ କିରଣ କୁମାରଙ୍କ ସହ ଯୋଗାଯୋଗ କରିବାରୁ, ପୋର୍ଟାଲରେ ଥିବା ତଥ୍ୟକୁ ଅପଡେଟ୍ କରାଯାଇ ନଥିବାରୁ ଏହି ତ୍ରୁଟି ରହିଛି। କିନ୍ତୁ ରୋଗୀ ସେବା ସହ ସରକାରୀ କାର୍ଯ୍ୟଭାରକୁ ଏକୁଟିଆ ସମ୍ଭାଳିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେଉଛି ବୋଲି କହିଛନ୍ତି। ତୁରନ୍ତ ଏହା ଉପରେ ବିଚାର କରି ଆବଶ୍ୟକ ଡାକ୍ତର ପଦବି ପୂରଣ ପାଇଁ ସାଧାରଣରେ ଦାବି ହୋଇଛି।