ଜୟପାଟଣା : ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଏକ ଡଙ୍ଗା ୨୫ ଜଣ ଯାତ୍ରୀ ଧରି ସାପ୍ତାହିକ ହାଟ ପାଇଁ ବାହାରିଥିଲା। କିଛିସମୟ ଚାଲିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଅଣାୟତ୍ତ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ବୋଟ୍ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଜଳବନ୍ଦି ଇଲାକାର ପୋଡ଼ାପଦର ପଞ୍ଚାୟତ ଉପର ଗୁଞ୍ଜମାଲି, ତଳ ଗୁଞ୍ଜମାଲି ଓ ପୋଡ଼ାପଦର ଗ୍ରାମର ପ୍ରାୟ ୨୫ ଜଣ ଲୋକ ଏକ ଡଙ୍ଗାରେ ସାପ୍ତାହିକ ହାଟ କରିବା ପାଇଁ ଲମତାଗୁଡ଼ା ବଜାରକୁ ଆସୁଥିଲେ। ସେମାନେ ବାରିଆ ଘାଟରେ ଓହ୍ଲାଇ ବଜାରକୁ ଯାଇଥା’ନ୍ତେ। ଜଳଭଣ୍ଡାର ମଧ୍ୟରେ ୫ କିମି ରାସ୍ତା ଅତିକ୍ରମ କରିବାକୁ ଥିବାବେଳେ ମଝିରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏବେ ଜଳଭଣ୍ଡାର ଭର୍ତ୍ତି ହୋଇଥିବା ବେଳେ ପ୍ରବଳ ଢେଉ ହେତୁ ଡଙ୍ଗା ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଥିଲା। ସେହିସମୟରେ କେହି ଜଣେ ବୋଟ୍ ଆମ୍ବୁଲାନ୍ସକୁ ଫୋନ୍ କଲାପରେ ଆମ୍ବୁଲାନ୍ସ ଅଳ୍ପ ସମୟ ମଧ୍ୟରେ ସେହିସ୍ଥାନରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।
ଏକ ବଡ଼ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଥିବାରୁ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆମ୍ବୁଲାନ୍ସରେ ସାରଙ୍ଗ ଗାଉଲା ଜଗା ରାଓ, ଲଞ୍ଚ ଡ୍ରାଇଭର ଅଭୟ ଭୋଳ, ଫାର୍ମାସିଷ୍ଟ ଜିତେନ୍ଦ୍ର ସା ଓ ମାଝୀ ଗୋବିନ୍ଦ ରାଉତ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/kalahandi-boat.jpg)