ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ଗଣଶିକ୍ଷା ବିଭାଗର ପୋର୍ଟାଲରେ ନାମ ପଂଜିକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନଲାଇନରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିଭଳି ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ ଖୋଲିବ । ଏଣିକି ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ସରକାରୀ ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଆର୍ଥିକ ଅନଗ୍ରସର ପିଲାଙ୍କ ପାଠପଢା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବାଧ୍ୟ ହେବେ ଘରୋଇ ସ୍କୁଲ । ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କିଛି ଘରୋଇ ସ୍କୁଲ ବିଭିନ୍ନ ଆଳ ଦେଖାଇ ଏହାକୁ ମାନୁ ନଥିଲେ । ଏ ନେଇ ଅଭିଯୋଗ ଆସିବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯିବ। ପୋର୍ଟାଲ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଠାରୁ ୧ କିଲୋମିଟର ଦୂରରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନରେ ନାମ ଲେଖାଇ ପାରିବେ । ସେହିପରି ୩ କିଲୋମିଟରରୁ ୧୦ କିଲୋମିଟର ଭିତରେ ଥିବା ପିଲାଙ୍କ ପାଇଁ ଲଟେରି ବ୍ୟବସ୍ଥା କରାଯିବ । ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଶିକ୍ଷା ଅଧିକାର ଆଇନ୍ ୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ବାଧ୍ୟତାମୂଳକ ଶିକ୍ଷାଦାନକୁ ଆହୁରି ମଜଭୁତ କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ସଂରକ୍ଷଣ ବ୍ୟବସ୍ଥା ଭଳି ଶିକ୍ଷାକ୍ଷେତ୍ରରେ ଆଉ ଏକ ପଦକ୍ଷେପ ନିଆଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ ହେବ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏଭଳି ନିଷ୍ପତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।  ତେବେ ବେସରକାରୀ ସ୍କୁଲରେ ୨୫% ସଂରକ୍ଷଣ ମଧ୍ୟରୁ ଏସସି, ଏସଟି ଓ ଏସଇବିସି ପିଲାଙ୍କ ପାଇଁ ରହିବ ୧୦ ପ୍ରତିଶତ । ବାସହୀନ ଓ ଶିଶୁ ଶ୍ରମିକଙ୍କ ପାଇଁ ୫ ପ୍ରତିଶତ । ବାକି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବିପିଏଲ କାର୍ଡଧାରୀ ପରିବାର ପିଲାଙ୍କ ପାଇଁ।
ସମ୍ବନ୍ଧିତ ଖବର