କଟକ : କଟକରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନ୍ଏଲ୍ୟୁଓ)ରେ ଏଣିକି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ମିଳିବ ପାଠ ପଢିବାର ସ୍ବତନ୍ତ୍ର ସୁଯୋଗ। ବିଶ୍ବବିଦ୍ୟାଳୟର ଉଭୟ ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ପାଠ୍ୟକ୍ରମରେ ରହିଥିବା ମୋଟ ସିଟ୍ର ୨୫ ପ୍ରତିଶତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ଓଡ଼ିଶାରେ ଏନ୍ଏଲ୍ୟୁଓ ପ୍ରତିଷ୍ଠାର ୧୦ ବର୍ଷ ପରେ ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ଏଭଳି ସୁବିଧା ମିଳିବାକୁ ଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ ବୋଲି ଆଜି ଓଡ଼ିଶା ଏନ୍ଏଲ୍ୟୁଓର ସାଧାରଣ ପରିଷଦର ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଥିବା ଏନ୍ଏଲ୍ୟୁଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସଂରକ୍ଷଣ ନ ରହିବା ପ୍ରସଙ୍ଗକୁ ନେଇ ପ୍ରଥମେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶନ ପରେ ଓଡ଼ିଶା ବିଧାନସଭା ଏବଂ ରାଜ୍ୟସଭାରେ ପ୍ରସଙ୍ଗ ଉତ୍ଥାପନ କରାଯାଇଥିଲା। ରାଜ୍ୟ ସରକାର ବିଭିନ୍ନ ସମୟରେ ଚିଠି ଲେଖି ସଂରକ୍ଷଣ ଲାଗୁ କରିବାକୁ ଦାବି କରିଆସୁଥିଲେ। ଶେଷରେ ଏନ୍ଏଲ୍ୟୁଓ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରି ଆଜି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି।
ଦେଶର ବିଭିନ୍ନ ରାଜ୍ୟରେ ଥିବା ଏନ୍ଏଲ୍ୟୁରେ ସେହି ରାଜ୍ୟର ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ କଟକରେ ଥିବା ଏହି ବିଶ୍ବବିଦ୍ୟାଳୟରେ ସେଭଳି ସୁଯୋଗ ନ ଥିଲା। ୨୦୦୮ରେ କଟକରେ ଏନ୍ଏଲ୍ୟୁ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୯ ଜୁଲାଇରେ ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ବିଶ୍ବବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ବିଏ ଏଲ୍ଏଲ୍ବି ପାଇଁ ୧୨୦ଟି ଏବଂ ବିବିଏ ଏଲ୍ଏଲ୍ବି (ଅନର୍ସ)ରେ ୬୦ଟି ସିଟ ରହିଛି। ସେହିଭଳି ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଏଲ୍ଏଲ୍ଏମ୍ରେ ୫୦ଟି ସିଟ୍ ରହିଛି। ନିଷ୍ପତ୍ତି ଅନୁଯାୟୀ ଏହି ସବୁ ସିଟ୍ର ୨୫ ପ୍ରତିଶତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ଏନ୍ଏଲ୍ୟୁ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ସଂରକ୍ଷଣ ସୁବିଧା ପାଇବାକୁ ଥିବା ଛାତ୍ରଛାତ୍ରୀ ଓଡ଼ିଶାର ଯେ କୌଣସି ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀରେ ସର୍ବନିମ୍ନ ୬୦ ପ୍ରତିଶତ ଏବଂ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଗ୍ରାଜୁଏସନ ପରୀକ୍ଷାରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ। କିନ୍ତୁ ଜାତୀୟ ଆଇନ ବିଶ୍ବବିଦ୍ୟାଳୟେର ନାମ ଲେଖାଇବା ପାଇଁ ହେଉଥିବା କମନ ଲ’ ଆଡମିସନ ଟେଷ୍ଟ (କ୍ଲାଟ୍) ଦେଇଥିବା ଛାତ୍ରଛାତ୍ରୀ ଏବଂ ସେଥିରେ ପାଇଥିବା ସ୍କୋର ଅନୁସାରେ ଏହି ସଂରକ୍ଷଣ ସୁବିଧା ପାଇବେ ବୋଲି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। କିନ୍ତୁ ଦୀର୍ଘ ୧୦ ବର୍ଷ ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଏହି ସୁବିଧା ମିଳିବାକୁ ଯାଉଥିବାରୁ ତାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।