ଜାତୀୟ ଆଇନ୍‌ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: କଟକସ୍ଥିତ ଜାତୀୟ ଆଇନ୍‌ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍‌ ସଂରକ୍ଷଣ କରିବାକୁ ବାରମ୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଓ ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଶେଷରେ ଏହାକୁ ଗ୍ରହଣ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଆଜି ବିଶ୍ବବିଦ୍ୟ‌ାଳୟର ସାଧାରଣ ପରିଷଦର ଏକ ସ୍ବତନ୍ତ୍ର ବୈଠକରେ ଅଣ୍ଡର୍‌ ଗ୍ରାଜୁଏଟ୍‌ ଓ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଶ୍ରେଣୀରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ମଞ୍ଜୁରୀ ମିିଳିଛି।

ଓଡ଼ିଶାର କୌଣସି ଛାତ୍ରଛାତ୍ରୀ ଯୁକ୍ତ ୨ କିମ୍ବା ସମାନ୍ତରାଳ ପରୀକ୍ଷାରେ କୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ସର୍ବନିମ୍ନ ୬୦ ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଥିଲେ ତାଙ୍କୁ ବିଶ୍ବବିଦ୍ୟାଳୟର ସଂରକ୍ଷିତ ଆସନରେ ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ଦିଆଯିବ। ସେହିପରି ବିଏଏଲ୍‌ଏଲ୍‌ବି, ବିବିଏଏଲ୍‌ଏଲ୍‌ବି, ଏଲଏଲ୍‌ବି ଆଦି ଗ୍ରାଜୁଏଟ୍‌ କିମ୍ବା ସମାନ୍ତରାଳ ପରୀକ୍ଷାରେ ସର୍ବନିମ୍ନ ୫୦ ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ,  କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ୟୁଜି ପାଠ୍ୟକ୍ରମ ନାମଲେଖାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍‌ ସଂରକ୍ଷଣ କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସଚିବଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରୁ ବାରମ୍ବାର ଚିଠି ଲେଖା ଯାଇଥିଲା। ଏପରିକି ଗତ ୬ ମାସରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ପାଖାପାଖି ୪ ଥର ଚିଠି ଲେଖି ସାରି‌ଥିଲେ ବି ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରି ନ ଥିଲା। ଗତ୨ ତାରିଖରେ ‘ସମ୍ବାଦ’ରେ ରାଜ୍ୟ ସରକାରଙ୍କ ଦାବିକୁ ଜାତୀୟ ଆଇନ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଓ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର