ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ୨୫ ଦଫା ସମ୍ବଳିତ ଦାବିପତ୍ର: ସିଂହଭୂମର ୩୫୦ ବିଦ୍ୟାଳୟ ପୂର୍ବସ୍ଥିତି ଫେରିପାଉ

ଭୁବନେଶ୍ବର : ଝାଡ଼ଖଣ୍ଡର ଓଡ଼ିଆ ଭାଷୀ ଜିଲ୍ଲାମାନଙ୍କରେ ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆମାନଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ଆଦି ୨୫ ଦଫା ଦାବି ସଂପର୍କିତ ଏକ ସ୍ମାରକପତ୍ର ଗତକାଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌କୁ ପ୍ରଦାନ କରାଯାଇଛି। ଆଦିବାସୀ ମନ୍ତ୍ରୀ ତଥା ଷଢ଼େଇକଳା ବିଧାୟକ ଚମ୍ପାଇ ସୋରେନ୍‌ଙ୍କ ନେତୃତ୍ବରେ ଝାଡ଼ଖଣ୍ଡର ଓଡ଼ିଆ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍‌ଙ୍କୁ ତାଙ୍କ ବିଧାନସଭା କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ୭୫ ମିନିଟ୍‌ ଧରି ଆଲୋଚନା କରିଥିଲେ।

ହିନ୍ଦୀ ବିଦ୍ୟାଳୟରେ ପରିଣତ ହୋଇଥିବା ଅବିଭକ୍ତ ସିଂହଭୂମର ୩୫୦ଟି ଓଡ଼ିଆ ବିଦ୍ୟାଳୟକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଯୋଗାଇବା, ଓଡ଼ିଆ କୃତୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାରେ ଅଗ୍ରାଧିକାର ବ୍ୟବସ୍ଥା କରିବା, ଓଡ଼ିଆ ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା, ମହାନ ସ୍ବତନ୍ତ୍ରତା ସେନାନୀ ରାଜା ଅର୍ଜୁନ ସିଂହ, ରଘୁ ଦେୱାନ, ଓଡ଼ିଆ ସଂଗ୍ରାମୀ ରୁଦ୍ରପ୍ରତାପ ଷଡ଼ଙ୍ଗୀ ଆଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଝାଡ଼ଖଣ୍ଡ ଏକାଡେମିକ୍‌ କାଉନସିଲ୍‌ ଓ ଚୟନ ଆୟୋଗରେ ଓଡ଼ିଆ ଭାଷା ସ୍ଥାନିତ କରିବା, ଅବିଭକ୍ତ ସିଂହଭୂମ ବ୍ୟତୀତ ଗୁମଲ୍‌, ସିମଡେଗା, ଲୋହରଡେଗା, ଧାନବାଦ, ବୋକାର, ରାଞ୍ଚି ପ୍ରମୁଖ ଜିଲ୍ଲାମାନଙ୍କରେ ଥିବା ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳର ଓଡ଼ିଆମାନଙ୍କର ସ୍ବାର୍ଥରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍‌ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନଙ୍କ ସହ ଆଲୋଚନା କରି ଏହାର ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଷଡ଼ଙ୍ଗୀ, ‌ଷଢ଼େଇକଳା ରାଜା ଆଦିତ୍ୟ ପ୍ରସାଦ ସିଂହଦେଓ, ଖରସୁଆଁ ରାଜା ଗୋପାଳ ନାରାୟଣ ସିଂହଦେଓ, ବାହାଡାଗୋଡ଼ା ବିଧାୟକ ସମୀର ମହାନ୍ତି, ଖରସୁଆଁ ବିଧାୟକ ଦଶରଥ ଗାଗରାଇ, ଉତ୍କଳ ସମ୍ମିଳନୀର ନନ୍ଦୁ ପାଣ୍ଡେ, ସୁଶୀଲ ଷଡ଼ଙ୍ଗୀ, ମୀନାକ୍ଷୀ ପଟ୍ଟନାୟକ, ଅନନ୍ତ ପାଢ଼ୀ, ଅଶୋକ ସାମନ୍ତ, ପ୍ରଦୀପ ଜେନା, ଅମ୍ବିକା ଦୀକ୍ଷିତ, ଚିରଞ୍ଜୀବୀ ପ୍ରଧାନ, ଦ୍ବାରିକା ମିଶ୍ର, ବିପ୍ଳବ ପାଣି, ତପନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦ୍ବୈତ ପ୍ରସାଦ ପାତ୍ର ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର