ବଡ଼ଦିନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ୨୫ ହଜାର ପର୍ଯ୍ୟଟକ

ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ପ୍ରବଳ ଭିଡ଼

କୋଣାର୍କ : ବଡ଼ଦିନ ଅବସରରେ ଆଜି କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଛି। ସୂର୍ଯ୍ୟ ମନ୍ଦିର, ବେଳାମାର୍ଗ, ରାମଚଣ୍ଡୀ ପୀଠ, ଭଗବତୀ ପୀଠ ଆଦି ପର୍ଯ୍ୟଟନସ୍ଥଳୀରେ ଆଜି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ସେହିପରି ୨୫ହଜାରରୁ ଅଧିକ ପର୍ଯ୍ୟଟକ ଆଜି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଗହଳି ପାଇଁ ମନ୍ଦିରର ପ୍ରବେଶ ପଥରୁ ମେଟାଲ୍‌ ଡିଟେକ୍ଟର୍‌କୁ ହଟାଇ ଦିଆଯାଇଥିଲା।

ସେହିପରି ପର୍ଯ୍ୟଟକମାନେ ବେଳାଭୂମି, ରାମଚଣ୍ଡୀ ପୀଠ ଓ ଭଗବତୀ ପୀଠରେ ବଣଭୋଜି କରି ନାଚଗୀତରେ ମସଗୁଲ୍‌ ହୋଇଥିଲେ। ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସୂର୍ଯ୍ୟ ମନ୍ଦିରକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ବର୍ଷ ମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧି ପାଇବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଟିକେଟ୍‌ କରି ୧୬ ହଜାର ୨୨୧ ଜଣ ଭାରତୀୟ ପର୍ଯ୍ୟଟକ ଓ ୧୯ ଜଣ ବିଦେଶୀ ପର୍ଯ୍ୟଟକ ଗତବର୍ଷ ମନ୍ଦିର ପରିଦର୍ଶନ କରିଥିଲେ। ତେବେ ଚଳିତ ବର୍ଷ ବଡ଼ଦିନରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସୂର୍ଯ୍ୟ ମନ୍ଦିରକୁ ୧୬ ହଜାର ୫୧୦ ଜଣ ଭାରତୀୟ ଓ ୮ ଜଣ ବିଦେଶୀ ପର୍ଯ୍ୟଟକ ଟିକେଟ୍‌ କରି ପରିଦର୍ଶନ କରିଥିବା ସୂଚନା ମିଳିଛି। ଚଳିତ ବର୍ଷ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୨ ଶହରୁ ଅଧିକ ବଢ଼ିଥିବା ସମୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ବ୍ୟତୀତ ଆଜି ପ୍ରାୟ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିନା ଟିକେଟ୍‌ରେ ମନ୍ଦିର ପରିଦର୍ଶନ କରିଥିବା ସ୍ଥାନୀୟ ଅଧିକାରୀ ନିରୋଜ ସିଂ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଟିକେଟ୍‌ ମିଳିବାରେ ବିଳମ୍ବ ଓ ପ୍ରବେଶ ପଥରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବାରୁ ଅନେକ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଫେରି ଯାଇଥିଲେ। ଏହାଛଡ଼ା ପ୍ରବଳ ଜନଗହଳି ପାଇଁ ଆଜି ଟ୍ରାଇ ସାଇକେଲ୍‌ରେ ଯାଉଥିବା ଦିବ୍ୟାଙ୍ଗ ପର୍ଯ୍ୟଟକଙ୍କୁ ମଧ୍ୟ ହଟହଟା ହେବାକୁ ପଡ଼ିଥିଲା। ପୂର୍ବରୁ ମନ୍ଦିରକୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଥିବା ଟୋକନ୍‌ଗୁଡ଼ିକୁ ପରିବର୍ତ୍ତନ କରାଯାଇ ଆଜି ନୂତନ ଟୋକନ୍‌ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର