ବଡ଼ ରାଜ୍ୟ ବାଜି ମାରିଲେ, ଓଡ଼ିଶା ଭାଗରେ ୨୫ ଟସିଲିଜୁମାବ

କୋଭିଡ ଚିକିତ୍ସା ପାଇଁ ମ୍ୟାଜିକ ନୁହେଁ ଟସିଲିଜୁମାବ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ଦେଶରେ କୋଭିଡ୍‌ ପରିସ୍ଥିତି ଜଟିଳ ହେବା ସହିତ ବ୍ୟୟବହୁଳ ହେବା ସତ୍ତ୍ବେ ଟସିଲିଜୁମାବ ଇଂଜେକ୍ସନ୍‌ର ଚାହିଦା ବର୍ତ୍ତମାନ କାହିଁରେ କେତେ। ସ୍ଥିତି ଏଭଳି ଥିଲା ଯେ ମାର୍ଚ ଶେଷ ସପ୍ତାହରୁ ଭାରତୀୟ ବଜାରରୁ ଗାଏବ୍‌ ହୋଇଯାଇଥିଲା। ଯାହା ବି ମିଳୁଥିଲା, କେବଳ କଳା ବଜାରରେ। କିଛି ଦିନ ହେଲା ଆମେରିକାରୁ ଭାରତ ସରକାର ଏହାକୁ ଆମଦାନି କରିଛି। ମାତ୍ର ଏଥିରେ ସର୍ବାଧିକ କୋଭିଡ୍‌ ଆକ୍ରାନ୍ତ ଥିବା ମହାରାଷ୍ଟ୍ର, ଦିଲ୍ଲୀକୁ ସର୍ବାଧିକ ଡୋଜ୍‌ ଦିଆଯାଇଛି। ଓଡ଼ିଶା ଭାଗରେ ପଡ଼ିଛି ମାତ୍ର ୨୫। ଏଥିସହ ନିର୍ଦ୍ଦେଶ ମଧ୍ୟ ରହିଛି ଯେ ଘରୋଇ ଡାକ୍ତରଖାନା ପାଇଁ ସ୍ବତନ୍ତ୍ର ଭାବରେ ଅନ୍ୟ ଡୋଜ୍‌ ଦିଆଯାଇନାହିଁ। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍‌ ଅନୁସାରେ, ଏହାର ବ୍ୟବହାର କରିବା ପାଇଁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି, ଟସିଲିଜୁମାବ କୋଭିଡ୍‌ ଚିକିତ୍ସା ପାଇଁ ସେହିଭଳି କାର୍ଯ୍ୟକ୍ଷମ ନୁହେଁ, ଯେଉଁଭଳି ଲୋକେ ଭାବି ନେଉଛନ୍ତି। ଏପରିକି ନିଜେ ଏହାର ଉତ୍ପାଦନ କରିଥିବା କମ୍ପାନି ମଧ୍ୟ କହିଛି ଯେ ଏହି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ଏହି ଔଷଧକୁ ସମ୍ପୂର୍ଣ୍ଣ ଅନୁମୋଦନ ମଧ୍ୟ ମିଳିନାହିଁ। ଯେଉଁ ୨୫ଟି ଡୋଜ୍‌ ଆସିଛି, ରୋଗୀଙ୍କ ସ୍ଥିତି ଦେଖି ବିଶେଷଜ୍ଞ କମିଟି ହିଁ ନିଷ୍ପତ୍ତି କରିଛି ଏହା କାହାକୁ ଦିଆଯିବ।

ଏକ ମାସରୁ ଊର୍ଧ୍ବ ସମୟ ଧରି ଭାରତୀୟ ବଜାରରେ ସଙ୍କଟ ଦେଖାଦେବା ପରେ ଟସିଲିଜୁମାବ କ୍ରୟ କରି ବିଭିନ୍ନ ରାଜ୍ୟକୁ ବିତରଣ କରିଛି ଭାରତ ସରକାର। ଏଥିରୁ ମହାରାଷ୍ଟ୍ରକୁ ସର୍ବାଧିକ ୮୦୦, ଦିଲ୍ଲୀକୁ ୫୦୦, ଆନ୍ଧ୍ରପ୍ରଦେଶକୁ ୫୦, ବିହାରକୁ ୫୦, ଛତିଶଗଡ଼କୁ ୫୦, ଗୁଜରାଟକୁ ୨୦୦, ହରିୟାଣାକୁ ୧୬୦, ଝାଡଖଣ୍ଡକୁ ୨୫, କର୍ଣ୍ଣାଟକକୁ ୧୦୦, କେରଳକୁ ୫୦, ମଧ୍ୟପ୍ରଦେଶକୁ ୨୦୦, ପଞ୍ଜାବକୁ ୨୦୦, ରାଜସ୍ଥାନକୁ ୧୦୦, ତାମିଲନାଡ଼ୁ ୨୦୦, ତେଲେଙ୍ଗାନାକୁ ୧୬୦, ଉତ୍ତରପ୍ରଦେଶକୁ ୧୫୦, ଉତ୍ତରାଖଣ୍ଡକୁ ୨୫, କେନ୍ଦ୍ରୀୟ ପ୍ରତିଷ୍ଠାନକୁ ୨୦୦ଟି ଦିଆଯାଇଛି। ଓଡ଼ିଶା ଭାଗରେ ଏତେ କମ୍ ସଂଖ୍ୟାରେ ଏହି ଇଂଜେକସନ ପଡ଼ିଥିବାରୁ ରାଜ୍ୟର କୌଣସି ବଜାରରେ ଏହା ନାହିଁ। ବିଶେଷଜ୍ଞଙ୍କ ମତ ଅନୁସାରେ, କରୋନାର ଚିକିତ୍ସା ନେଇ କୌଣସି ନିର୍ଦ୍ଦିଷ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ।

କୋଭିଡ୍‌ ଲକ୍ଷଣ ଅନୁଯାୟୀ ଡାକ୍ତର ଔଷଧ କିମ୍ବା ଇଂଜେକସନ ଦେଇଥାଆନ୍ତି। ଅନେକ କ୍ଷେତ୍ରରେ ଡାକ୍ତର ରୋଗୀଙ୍କ ପାଇଁ ଇଂଜେକସନ୍‌ ଲେଖି ଦେଉଥିଲେ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ସବୁ ପ୍ରକାର ଚେଷ୍ଟା କରିବା ସତ୍ତ୍ବେ ଏହା ପାଇପାରୁ ନାହିଁ। ରାଜଧାନୀର ବଡ଼ବଡ଼ ଘରୋଇ ଡାକ୍ତରଖାନାର ରୋଗୀଙ୍କ ସମ୍ପର୍କୀୟ ଏଥିପାଇଁ ନୟାନ୍ତ ହୋଇ ପାଇ ନଥିଲେ। ସମ୍ବଲପୁରସ୍ଥିତ ଏକ ଘରୋଇ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାରତ ସାମ୍ବାଦିକ ମାନସ ଜୟପୁରିଆଙ୍କ ପାଇଁ ଟସିଲିଜୁମାବ ଆବଶ୍ୟକତା ରହିଥିବା ନେଇ ସମ୍ପର୍କୀୟମାନେ ଟ୍ବିଟ କରିଥିଲେ। ଏହା ପରେ ଆଜି ସକାଳେ ମାନସଙ୍କ ଦେହାନ୍ତ ହୋଇଥିଲା। ବିଶେଷଜ୍ଞଙ୍କ ଅନୁସାରେ, ଟସିଲିଜୁମାବର କାର୍ଯ୍ୟକ୍ଷମ ନେଇ ସେହିଭଳି ଚିତ୍ର ମିଳୁ ନାହିଁ। ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ଦୁଇ ପ୍ରକାର ମତ ରହିଛି। ଭାରତରେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଅନୁମତି ମିଳି ନାହିଁ। ରାଜ୍ୟ ଡ୍ରଗ ଆସୋସିଏସନ୍‌ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି, କରୋନାର ପ୍ରଥମ ଲହରରେ ଏହାର ସୀମିତ ଆବଶ୍ୟକତା ଥିଲା। ଏହାର ମୂଲ୍ୟ ୪୦ ହଜାରରୁ ୪୫ହଜାର ଥିବାରୁ ଅଧିକାଂଶ ଏହା କ୍ରୟ କରୁନଥିଲେ। ଚଳିତବର୍ଷ କୋଭିଡ୍‌ ସ୍ଥିତି ଜଟିଳ ହେବାରୁ ଏହାର ଚାହିଦା ବଢ଼ିବାରେ ଲାଗିଛି। ଏହାର ଯୋଗାଣ ନଥିବାରୁ ବଜାରରେ ମଧ୍ୟ ଏହା ମିଳୁ ନାହିଁ।

ସମ୍ବନ୍ଧିତ ଖବର