ବାଲେଶ୍ୱର: ୨୫ଟି ଗାଁ ଏବେ ବି ପାଣି ଘେରରେ

ମାଟିରେ ମିଶିଲା ୧୫୦ରୁ ଊର୍ଦ୍ଧ୍ବ କଚ୍ଚାଘର, ଦୁଇଦିନ ହେଲା ଉପାସ, ପହଞ୍ଚି ପାରିନି ରିଲିଫ୍ ସାମଗ୍ରୀ

ବାଲେଶ୍ବର : ବାତ୍ୟା ୟାସରେ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସଦର, ଭୋଗରାଇ, ବାଲିଆପାଳ, ବସ୍ତା ବ୍ଳକରେ ଅଧିକ କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିଛି। ସମୁଦ୍ର ଜୁଆର ପାଣି ମାଡ଼ି ୧୨୦ରୁ ଊର୍ଦ୍ଧ୍ବ ଗାଁ ଜଳମଗ୍ନ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ ଘର ମାଟିରେ ମିଶି ଯାଇଛି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ୫୦୦ରୁ ଊର୍ଦ୍ଧ୍ବ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ପାଖାପାଖି ୧୩୦୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତିର ଆକଳନ ଚାଲିଛି। ଦିନେ ଦୁଇଦିନ ମଧ୍ୟରେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡ଼ିଛି।

ସଦର ବ୍ଲକର ୨୫ଟି ଗାଁ ଏବେ ବି ପାଣି ଘେରରେ ରହିଛି। ବଇଁଚ, ସିନ୍ଧିଆ, ଗୋପୀନାଥପୁର, ପରଖି, ଦୁବୁଲାଗଡ଼ି, ହରିପୁର, ବାହାବଳପୁର, ଛାନୁଆଁ, ସାର୍ଥା, ପଞ୍ଚପଡ଼ା ସହ ୨୫ଟି ଗାଁର ପ୍ରାୟ ୧୦ ହଜାର ଲୋକ ପାଣି ଘେରରେ ଅଛନ୍ତି। ଗତକାଲିଠାରୁ କେହି ପଦାକୁ ବାହାରି ପାରୁ ନାହାନ୍ତି। ସଂପୃକ୍ତ ଗ୍ରାମଗୁଡ଼ିକରେ ୧୫୦ରୁ ଊର୍ଦ୍ଧ୍ବ କଚ୍ଚାଘର ମାଟିରେ ମିଶି ଯାଇଛି। ଲୋକେ କିଏ କେଉଁଠି ଆଶ୍ରୟ ନେଇଛନ୍ତି। ଘରେ ପାଣି ପଶି ଯାଇଥିବାରୁ ଚାଉଳ, ସହ ଅନ୍ୟାନ୍ୟ ଜିନିଷ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ତେଣୁ ରୋଷେଇ କରିବା ସମ୍ଭବ ହୋଇ ପାରୁ ନାହିଁ। ଯାହା ଶୁଖିଲା ଖାଦ୍ୟ ଥିଲା ତାକୁ ଖାଇ ବଞ୍ଚିଛୁ ବୋଲି ଗ୍ରାମବାସୀ କହିଛନ୍ତି।

ପାଣି ଘେରରେ ଥିବା ଲୋକମାନଙ୍କୁ ୭ଦିନ ପାଇଁ ରିଲିଫ୍ ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସେମାନଙ୍କ ପାଖରେ ରିଲିଫ୍ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବାତ୍ୟା ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର ବାତ୍ୟା ପ୍ରଭାବିତ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଥିଲେ। ହେଲେ ବାଲେଶ୍ବରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁଇଦିନ ହେଲା ପାଣିଘେରରେ ଭୋକ ଉପାସରେ ରହିଛୁ । ପ୍ରଶାସନ ପକ୍ଷରୁ କୌଣସି ରିଲିଫ୍ ଆସି ପହଞ୍ଚି ନଥିବା ପରଖି ଗାଁର ମିର୍ଜା ଆକବର ବେଗ୍, ଜୀବନ କୁମାର ମଣ୍ଡଳ, ସାଲରି ଅଲ୍ଲୀ ଖାଁ, ଶେଖ୍ ସୁଲେମାନ ଏବଂ ହରିପୁର ଗାଁ ୱାର୍ଡମେମ୍ବର ବିମଳେନ୍ଦୁ ପାତ୍ର ଓ ପୂର୍ବତନ ୱାର୍ଡମେମ୍ବର ଅଶୋକ କୁମାର ଭୂୟାଁ ପ୍ରମୁଖ କ୍ଷୋଭର ସହ କହିଛନ୍ତି।

ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଂପୃକ୍ତ ଗାଁଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ ପାଣି ଯୋଗୁଁ ଗାଁ ଭିତରକୁ ଯାଇ ନ ପାରି ବାହାରେ ବାହାରେ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରି ଆସିଛନ୍ତି। ତୁରନ୍ତ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା କିଛି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର