୨୫ବର୍ଷ ବାବୁରାଜ, ଓଡ଼ିଶା ୫୦ ବର୍ଷ ପଛକୁ: ଯୋଗୀ

ମାହାଙ୍ଗା, ବାଣପୁରରେ ବିଜେପିର ସଂକଳ୍ପ ସମାବେଶ

କଟକ/ବାଣପୁର: ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ। ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍‌ଜାକୁ ନେଇଯାଇଛି। ଏହା ଓଡ଼ିଶାର ବିକାଶକୁ ୫୦ ବର୍ଷ ପଛକୁ ନେଇଯାଇଛି। ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ଏହିଭଳି ମନ୍ତବ୍ୟ ଦେଇଛନ୍ତି ବିଜେପିର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶ୍ରୀ ଯୋଗୀ ପ୍ରଥମେ ପୁରୀ ଲୋକସଭା କ୍ଷେତ୍ରର ଚ଼ିଲିକା ବିଧାନସଭା ଅଧୀନ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ। ନିଜ ଉଦ୍‌ବୋଧନରେ ସେ ଅନେକ ପ୍ରସଙ୍ଗ ଉତ୍‌ଥାପନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜାଇଦେଲେ। ଜମି ଓ ଖଣି ଲୁଟ୍‌ ପରେ ମାଫିଆ ଏବେ ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ଉପରେ ଆଖି ପକାଇଛନ୍ତି। ମହାପ୍ରଭୁ ଜଗନ୍ନାଥ ଓଡ଼ିଶାରେ ଲ୍ୟାଣ୍ଡ୍‌, ସ୍ୟାଣ୍ଡ୍‌, ମାଇନିଂ ଓ ଗୋ-ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ। ଉତ୍ତର ପ୍ରଦେଶ ପରି ଓଡ଼ିଶାରେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଓ ଗୋ ମାଫିଆଙ୍କୁ ସାବାଡ଼ କରାଯିବ। ଏହା ମୋଦୀଙ୍କ ଭାରତ। ଯିଏ ବଦ୍‌ମାସୀ କରିବ ତାକୁ ବରଦାସ୍ତ କରାଯିବ ନାହିଁ।

ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲବାବୁ
ଜଗନ୍ନାଥଙ୍କ ସମ୍ପତ୍ତି ଉପରେ ମାଫିଆଙ୍କ ଆଖି
ଜଗନ୍ନାଥଧାମ ପୁରୀର କାୟାକଳ୍ପ ବଦଳିବ
ଜମି, ବାଲି, ଖଣି ମାଫିଆଙ୍କୁ ସାବାଡ଼ କରାଯିବ

ଆହୁରି ମଧ୍ୟ ସେ କହିଥିଲେ, ଓଡ଼ିଶାର ନବୀନ ସରକାର ବାବୁଙ୍କ ଘେରାବନ୍ଦୀରେ ରହିଛି। ଓଡ଼ିଶାରେ ବାବୁଙ୍କ ସରକାର ଚାଲିଛି। ବାବୁରାଜ ଚାଲିଲେ ଲୋକେ ଉତ୍ପୀଡ଼ିତ ହୁଅନ୍ତି। ଜନପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର। ମାତ୍ର ତାହା ହେଉନାହିଁ। ସେପଟେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଦଳିମକଚି ଦିଆଗଲାଣି। ଯାହା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିଲେ ଜଗନ୍ନାଥଧାମ ପୁରୀର କାୟାକଳ୍ପ ବଦଳିବ। ଏହି ପବିତ୍ରଧାମ ଅଯୋଧ୍ୟା ଓ କାଶୀ ଭଳି ଚମକିବ ବୋଲି ସେ କହିଥିଲେ। ଏହି ବିଜୟ ସଂକଳ୍ପ ସମାବେଶରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଛତିଶଗଡ଼ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ, ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ଚିଲିକା ବିଧାନସଭା ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଯୋଗ ଦେଇଥିଲେ।

ଏହାପରେ ଶ୍ରୀ ଯୋଗୀ ମାହାଙ୍ଗା ନିର୍ବାଚନମଣ୍ଡଳୀର କୁଳିଆଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ଅନୁରୂପ ଭ‌ାବେ ସିଧାସଳଖ ରାଜ୍ୟସରକାର ଓ ଭି. କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ। ତାମିଲବାବୁଙ୍କ ଉଦ୍ଦେଶ୍ୟ ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇବା। ରାସନ ମୋଦୀ ପଠାଉଛନ୍ତି, ଏଠି ବାବୁମାନେ ନବୀନ ଷ୍ଟାମ୍ପ ମାରୁଛନ୍ତି। ତାମିଲବାବୁ ଆୟୁଷ୍ମାନ ଭାରତ ଲାଗୁ କରାଇ ଦେଉନାହାନ୍ତି। ଆୟୁଷ୍ମାନ ଭାରତ ଲାଗୁ କଲେ ତାଙ୍କ କମିଶନବାଜି ବନ୍ଦ ହୋଇଯିବ ବୋଲି ସେମାନେ ଓଡ଼ିଶାରେ ଏହାକୁ ଲାଗୁ କରାଇ ଦେଉ ନାହାନ୍ତି ବୋଲି କହିଥିଲେ। ଏଥିସହିତ, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ, ସାଲେପୁର ପ୍ରାର୍ଥୀ ଅରିନ୍ଦମ ରୟ, କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ମହାକାଳପଡ଼ା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାଏକ, ପାଟକୁରା ପ୍ରାର୍ଥୀ ତେଜେଶ୍ୱର ପରିଡା, ଆଳି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା, ରାଜନଗର ପ୍ରାର୍ଥୀ ଲଳିତ ବେହେରାଙ୍କ ପାଇଁ ଯୋଗୀ ଭୋଟ ଭିକ୍ଷା କରିଥିଲେ। ସମାବେଶରେ କେନ୍ଦ୍ରମନ୍ତ୍ରୀ ଦେବୁ ସିଂହ ଚୌହାନ ଉପସ୍ଥିତ ଥିବାବେଳେ କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର