ଯୁଯୁମୁରା : ଜଙ୍ଗଲର ଏକ ଗୁପ୍ତ ସ୍ଥାନରେ ଥିଲେ ଶହ ଶହ ଗୋରୁ। ସେମାନଙ୍କୁ ଗୋଟିଏ ଛୋଟିଏ ସ୍ଥାନରେ ଆବଦ୍ଧ କରି ରଖାଯାଇଥିଲା। ଏତେ ସଂଖ୍ୟକ ଗୋରୁଙ୍କୁ ସେଠାରେ ଏମିତି ରଖାଯାଇଥିଲା ଯେ ଗୋରୁମାନେ ଠିକ୍ରେ ଶୋଇ ବି ପାରୁ ନଥିଲେ। ମଳ, ମୂତ୍ରରେ ଘାଣ୍ଟି ଚକଟି ହେଉଥିଲେ। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେମାନଙ୍କୁ ରଖାଯାଇଥିଲା। ସମୟ, ସୁବିଧା ଦେଖି ଗୋରୁମାନଙ୍କୁ ସେଠାରୁ ଧୀରେ ଧୀରେ ଚାଲାଣ କରାଯିବାର ଯୋଜନା ରଖି ଏପରି କରାଯାଉଥିବା ସନ୍ଦେହ କରାଯାଇଛି। ଏ ସଂପର୍କରେ ଖବରପାଇ ସ୍ଥାନୀୟ ଲୋକେ, ଦେବସେନା, ବଜ୍ରଙ୍ଗ ଦଳ ଓ ବିଜେପିର ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଏପରି ଘଟଣା ଦେଖିବାକୁ ମିଳିଛି ଯୁଯୁମୁରା ବ୍ଲକ୍ ଝାଙ୍କରପାଲି ପଞ୍ଚାୟତ ମୁଣ୍ଢେର ଅଷାଢ଼ୁପଡ଼ାରେ।
ମିଳିଥିବା ସୂଚନା ଅନୁଯାୟୀ ସେଠାରେ ଜଣଙ୍କ ଘର ପଛପଟେ ଏକ ଛୋଟ ଘେରା ମଧ୍ୟରେ ପ୍ରାୟ ୨୫୦ରୁ ଅଧିକ ଗୋରୁଙ୍କୁ ଆବଦ୍ଧ କରି ରଖାଯାଇଥିଲା। ଏତେ ସଂଖ୍ୟକ ଗୋରୁ ସେଠାରେ ଠିକ୍ରେ ଶୋଇବା ଦୂରର କଥା ଠିଆ ବି ହୋଇ ପାରୁ ନଥିଲେ। ସେମାନଙ୍କୁ ଠିକ୍ ଭାବରେ ଖାଦ୍ୟ ପେୟ ମଧ୍ୟ ଦିଆଯାଉ ନଥିଲା। ଗୋରୁଙ୍କ ମଳ, ମୂତ୍ର ମଧ୍ୟ ସଫା କରାଯାଉ ନଥିଲା। ପୂରା ଅସ୍ବାସ୍ଥ୍ୟକର ପରିବେଶରେ ଏବଂ ଅସୁରକ୍ଷିତ ଭାବେ ଗୋରୁମାନଙ୍କୁ ରଖାଯାଇଥିଲା। ଏ ସଂପର୍କରେ ସୂଚନା ପାଇ ବଜରଙ୍ଗ ଦଳର ସଭାପତି ସୁଧୀର ବହିଦାର, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀ, ଯୁଯୁମୁରା ମଣ୍ଡଳ ଏସ୍ଟି ମୋର୍ଚ୍ଚା ସଭାପତି କୈଳାସ ବାଗଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କ ଏପରି ଅବସ୍ଥା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଏ ନେଇ ସେମାନେ ଯୁଯୁମୁରା ଥାନାକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରଥିଲେ।
ତେବେ ଏତେ ସଂଖ୍ୟକ ଗୋରୁଙ୍କୁ ଗୋଶାଳାରେ ରଖିବା ସମ୍ଭବ ହୋଇ ନଥିବାରୁ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ କହିଛନ୍ତି। ଏହି ଘଟଣାରେ ପୁଲିସ ସନ୍ଦେହରେ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ତେବେ ଏତେ ସଂଖ୍ୟକ ଗୋରୁ ଏଠାକୁ ଆସିଲେ କେମିତି ? କେଉଁ ଉଦ୍ଦେଶ୍ୟରେ ଗୋରୁମାନଙ୍କୁ ଏଠାରେ ରଖାଯାଇଥିଲା ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ବାବଦରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଗୋଚାଲାଣକାରୀ ରାକେଟ୍ ସକ୍ରିୟ ହୋଇଥିବା ଏହି ଘଟଣାରୁ ଜଣପଡ଼ିଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ରାସ୍ତାରେ ଧରାପଡ଼ିବା ଭୟରେ ସେମାନେ ବିଭିନ୍ନ ସ୍ଥାନରୁ ଗୋରୁଙ୍କୁ ଆଣି ଏଠାରେ ଏକାଠି ରଖୁଛନ୍ତି ଏବଂ ଅତି ସନ୍ତର୍ପଣରେ ଗୁପ୍ତରେ ସେମାନଙ୍କୁ ଧୀରେ ଧୀରେ ଏଠାରୁ ଚାଲାଣ କରୁଥିବା ସେମାନେ କହିଛନ୍ତି। ଗୋରୁ ଚାଲାଣ କରିବାର ଏହା ଏକ ନୂଆ ତରିକା ଆରମ୍ଭ ହୋଇଛି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାର ଖୋଳତାଡ଼ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/adc7c660-ecc1-4ed8-b220-72fa60215561.jpg)