ବାଲେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେକର୍ଡ ୫ ପାଳି ଆଉ ୨୪ ବର୍ଷର ଶାସନ। ଏହି ସମୟରେ ବାଲେଶ୍ବର ଜିଲ୍ଲା ଦୁଇ ଦୁଇ ଜଣ ଶିଳ୍ପମନ୍ତ୍ରୀ (ରଘୁନାଥ ମହାନ୍ତି ଓ ଅନନ୍ତ ଦାସ)ଙ୍କୁ ପାଇଛି। ହେଲେ ବିଡ଼ମ୍ବନା, ବନ୍ଦ ହୋଇ ଯାଇଥିବା ବା ରୁଗ୍‌ଣ ଅବସ୍ଥାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର କଥା ଦୂରେ ଥାଉ; ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଜିଲ୍ଲାରେ ଗୋଟିଏ ବି ନୂତନ ଶିଳ୍ପସଂସ୍ଥା ପ୍ରତିଷ୍ଠା ହୋଇପାରିଲାନି। ଏବେ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଅଛନ୍ତି ଖୋଦ୍‌ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ। ବହୁଦିନରୁ ଉଭୟ ଦଳୀୟ ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦରେ ଥିଲେ ମଧ୍ୟ ଶିଳ୍ପ ବିକାଶ କ୍ଷେତ୍ରରେ ମନ୍ତ୍ରୀଙ୍କ ପଦକ୍ଷେପ ଅତ୍ୟନ୍ତ ନିରୁତ୍ସାହଜନକ। ଅତୀତରେ ଯେତେବେଳେ ବି ମନ୍ତ୍ରୀଙ୍କୁ ଜିଲ୍ଲାର ଶିଳ୍ପ ବିକାଶ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଛି, ସବୁଥର ମିଛ ପ୍ରତିଶ୍ରୁତି ହିଁ ମିଳିଛି।

Advertisment

୧୯୮୪ ମସିହାରେ ଜିଲ୍ଲାରେ ଗଢ଼ି ଉଠିଥିଲା ୨୫୦ରୁ ଅଧିକ ଶିଳ୍ପସଂସ୍ଥା। ସେଥିମଧ୍ୟରୁ ୩ଟି ବୃହତ ସଂସ୍ଥା ଥିବାବେଳେ ୧୪ଟି ମଧ୍ୟମ ଓ ୨୫୭ଟି କ୍ଷୁଦ୍ର ଶିଳ୍ପ ସଂସ୍ଥା ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି କିଛି ଶିଳ୍ପ ସଂସ୍ଥା ସହ ଅନେକ କ୍ଷୁଦ୍ର ଶିଳ୍ପସଂସ୍ଥା ମୁଣ୍ଡ ଟେକିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରିହାତି ମୂଲ୍ୟରେ ଜମି, ପାଣି, ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିଲା। ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସରକାର ସବ୍‌ସିଡି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବନ୍ଦ କରି ଦେବାରୁ ଶତାଧିକ ଶିଳ୍ପସଂସ୍ଥାରେ ତାଲା ଝୁଲିଛି। ସେଗୁଡ଼ିକରେ​ ନିଯୁକ୍ତି ପାଇଥିବା ହଜାର ହଜାର ଶ୍ରମିକ ଓ ସେମାନଙ୍କ ପରିବାର ଏବେ ଦାଣ୍ଡର ଭିକାରି ସାଜିଛନ୍ତି। ସୂଚନା ମୁତାବକ, ବାଲେଶ୍ବର ସହରାଞ୍ଚଳରେ ୮୩ଟି ଶିଳ୍ପ ସଂସ୍ଥା, ଗଣେଶ୍ବରପୁରରେ ୫୬ଟି, ବାଲଗୋପାଲପୁରରେ ୧୫ଟି, ବାମପଦାରେ ୪ଟି, ବାଲିଆପାଳ ବ୍ଳକ୍‌ରେ ୪, ବାହାନଗା ବ୍ଳକ୍‌ ପଣପଣାରେ ୧୨ ଓ ସଦର ବ୍ଲକ୍‌ ଚାନ୍ଦିପୁର ଶ୍ରୀକୋଣାରେ ୨୦ଟି ଶିଳ୍ପସଂସ୍ଥାକୁ ଜାଗା ଦେଇଥିଲେ ସରକାର। ଏବେ ସେଥିମଧ୍ୟରୁ ୧୭୮ଟି ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଛି। ଯେଉଁଥିରେ ଅଛନ୍ତି ଅଧିକାଂଶ କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ। ଜିଲ୍ଲାର ବୃହତ ଶିଳ୍ପସଂସ୍ଥା ବିରଲା ଟାୟାର୍ସ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ବାଲେଶ୍ବର ଆଲଏଜ୍‌ ଓ ଇମାମୀ ପେପର ମିଲ୍ସ ଭଳି ପ୍ରତିଷ୍ଠିତ ସଂସ୍ଥାର ଅବସ୍ଥା ଆଜିକା ଦିନରେ କଣ ତାହା ସଭିଁଏ ଜାଣନ୍ତି। ଏହାଛଡ଼ା ଅଣୁ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥା କଥା ନ କହିବା ଭଲ। ଦଳୀୟ କାମ ପାଇଁ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଜିଲ୍ଲାକୁ ଘନଘନ ଗସ୍ତ କରୁଥିବା ବେଳେ ଜିଲ୍ଲାରେ ଶିଳ୍ପ ବିକାଶର ଓଲଟା ଗତିକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି।