ଭୟାବହ ଟ୍ରେନ ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଯାତ୍ରୀ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି

ବାଲେଶ୍ବର: ବାହାନଗାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସଂଖ୍ୟା ଏବେ ୨୬୧କୁ ବୃଦ୍ଧି ପାଇଛି ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ବାହାନଗାରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି।

ଇତିମଧ୍ୟରେ ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ବଞ୍ଚି ଯାଇଥିବା କିଛି ଯାତ୍ରୀ ସ୍ତବ୍ଧ ହୋଇଯାଇଛନ୍ତି। ସେମାନେ ଏବେ ବି କିଛି କହିବା ପରିସ୍ଥିତିରେ ନାହାନ୍ତି। ଏହି କ୍ରମରେ ଆଉ କିଛି ଯାତ୍ରୀ ଦ୍ବିତୀୟ ଜୀବନ ପାଇଥିବା କହିବା ସହିତ ଗଣମାଧ୍ୟମ ସହ ଗତ କାଳରାତ୍ରିର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି।

ଅନୁଭବ ଦାସ ଟୁଇଟରରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ହାୱଡ଼ାରୁ ଚେନ୍ନାଇ ଯାଉଥିବା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ମୁଁ ବି ଜଣେ ଭଗ୍ୟବାନ ଯାତ୍ରୀ। ଗତକାଲି ମୁଁ ଏକ ନୂଆ ଜୀବନ ପାଇଛି। କାରଣ ମୁଁ ଆଖି ସାମ୍ନାରେ ୨୦୦ରୁ ୨୫୦ଜଣ ଯାତ୍ରୀଙ୍କ ଜୀବନ ଯାଇଥିବାର ଲୋମଟାଙ୍କୁରା ଦୃଶ୍ୟକୁ  ଦେଖିଛି। ଅନେକ ଲୋକଙ୍କ ଅଙ୍ଗପ୍ରତ୍ୟେଙ୍ଗ କଟି ଯାଇଥିଲା। ରେଳଧାରଣରେ ରକ୍ତଛିଟା ପଡ଼ିଥିଲା। ପରିବାରଲୋକ ବି ନିଜ ଲୋକଙ୍କୁ ଚିହ୍ନି ପାରୁ ନଥିଲେ। କାନ୍ଦ‌ବୋବାଳିରେ ସେ ସ୍ଥାନ ଫାଟି ପଡ଼ୁଥିଲା। ସ୍ବପ୍ନରେ ସୁଦ୍ଧା ଏମିତି ଦୃଶ୍ୟକୁ କେବେ ଦେଖିବି ଭାବି ନଥିଲି। ଭଗବାନଙ୍କୁ ଏତିକି ଗୁହାରି ମୃତକ ପରିବାରଙ୍କୁ ଏଦୁଃଖ ସହିବାକୁ ଶକ୍ତି ନିଅନ୍ତୁ।’

ସେହିପରି କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ବିହାରର ସଞ୍ଜୟ ମୁଖିଆ ଚେନ୍ନାଇରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରନ୍ତି। ସେ କହିଛନ୍ତି, ‘ ମୁଁ ଶୌଚାଳୟରେ ଥିଲି। ହାଠତ ଏକ ପ୍ରଚଣ୍ଡ ଶବ୍ଦ ହେଲା ଆଉ ମୋ ଗୋଇଠି କଟିଗଲା। ପିଠି ଫାଟିଗଲା, ମୁଣ୍ଡମାଡ଼ ‌ହୋଇ ରକ୍ତ ବୋହି ଚାଲିଲା। ମୁଁ ଜାଣିସାରିଥିଲି ଯେ ଟ୍ରେନ ଓଲଟି ଯାଇଛି। ତେବେ ଯେଉଁଭଳି ପରିସ୍ଥିତିରେ ଥିଲି ବଞ୍ଚିବି ବୋଲି ଆଶା ରଖି ନଥିଲି। କିନ୍ତୁ ଭଗବାନଙ୍କ କୃପାରୁ ଦ୍ବିତୀୟ ଜୀବନ ପାଇଲି। ଆଗକୁ ‌ଟ୍ରେନରେ କେବେ ଯାତ୍ରା କରିବି ନାହିଁ ବୋଲି ସ୍ଥିର କରିଛି।’

ସମ୍ବନ୍ଧିତ ଖବର