ନବୀନଙ୍କ ସହ କଥାହେଲେ ନୀତୀଶ ଓ ଉଦ୍ଧବ
ଆନ୍ଧ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାରକୁ ବି ଅକ୍ସିଜେନ୍ ଯୋଗାଣ ଆରମ୍ଭ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : କୋଭିଡ୍ ସ୍ଥିତି ଯେତିକି ଭୀଷଣ ହେଉଛି, ଅକ୍ସିଜେନ୍ ସମସ୍ୟା ସେତିକି ଉତ୍କଟ ହେବାରେ ଲାଗିଛି। ଏହାକୁ ନେଇ ଅଧିକ ସଂକ୍ରମିତ ରାଜ୍ୟରେ ଆତଙ୍କ ଖେଳିଗଲାଣି। ଏଭଳିସ୍ଥଳେ ଓଡ଼ିଶା ସରକାର ଗତକାଲି ଯେଉଁ ସହଯୋଗର ହାତ ବଢ଼ାଇଥିଲେ, ତାହାକୁ ଆଉ ଟିକେ ଲମ୍ବାଇଛନ୍ତି। କେବଳ ଦିଲ୍ଲୀ କିମ୍ବା ମହାରାଷ୍ଟ୍ର ନୁହେଁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ମଧ୍ୟ ଓଡ଼ିଶା ଅକ୍ସିଜେନ୍ ପଠାଇବା ଆରମ୍ଭ କରିଛି। ଆଜି ଉଭୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୧୯ଟି ଅକ୍ସିଜେନ୍ ବୋେଝଇ ଟ୍ୟାଙ୍କର ଏସବୁ ରାଜ୍ୟକୁ ପଠାଯାଇଛି ଓ ଏହାର ପରିମାଣ ୨୫୦ ଟନ୍ ହେବ ବୋଲି କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏସବୁ ଅକ୍ସିଜେନ୍ ଭର୍ତ୍ତି ଗାଡ଼ି କିଭଳି ବିନା ବାଧାରେ ଯିବ, ସେଥିଲାଗି ସେମାନଙ୍କ ଆଗ ପଛରେ ପାଟ୍ରୋଲିଂ କରି ନିଆଯାଇଛି। ଏହାଦ୍ବାରା ଅକ୍ସିଜେନ୍ ଲୁଟ୍ ସମ୍ଭାବନାକୁ ମଧ୍ୟ ଏଡ଼ାଯାଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଏଡି଼ଜି ଯଶଵନ୍ତ ଜେଠୱା ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ସେପଟେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯ଼ୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯ଼ାଇଛି। ଏହାର ଦାୟିତ୍ବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ରହିଛନ୍ତି।
ସରକାରୀ ସୂତ୍ରରୁ ମିଳିଥିବା ସୂୂଚନା ମୁତାବକ, ଦିଲ୍ଲୀରେ ପରିସ୍ଥିତି ଅଧିକ ଭୟାନକ ହୋଇଥିବାରୁ ସେଠାକୁ ଅଧିକ ୧୦୦ ଟନ୍ ଅକ୍ସିଜେନ ପଠାଇବା ପାଇଁ ରାଜ୍ୟ ପ୍ରସ୍ତୁତ ହୋଇ ରହିଛି। ମାତ୍ର ଦିଲ୍ଲୀ ସରକାର ଟ୍ୟାଙ୍କର ଓ ବିମାନ ବ୍ୟବସ୍ଥା କରିପାରିନାହାନ୍ତି। ଆଜି ତେଲେଙ୍ଗାନାକୁ ୪୦ଟନ୍ ଅକ୍ସିଜେନ ପଠାଯ଼ାଇଛି ଓ ଗତକାଲି ବି ସେତିକି ପରିମାଣର ଅକ୍ସିଜେନ୍ ଯାଇଥିଲା।
ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହେବା ପରେ ବିହାରକୁ ମଧ୍ୟ ୨ଟି କିସ୍ତିରେ ପାଖାପାଖି ୪୦ଟନ୍ ଅକ୍ସିଜେନ୍ ପଠାଇବାକୁ ବ୍ୟବସ୍ଥା କରାଯ଼ାଉଛି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀକୁ ୪୦ ଟନ୍, ମହାରାଷ୍ଟ୍ରକୁ ୪୦ ଟନ୍, ଆନ୍ଧ୍ରପ୍ରଦେଶକୁ ୪୦ ଟନ୍ ଅକ୍ସିଜେନ୍ ପଠାସରିଛି।
ପୁଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୪ ଘଣ୍ଟା ମଧ୍ୟରେ ମୋଟ ୧୫ଟି ଟ୍ୟାଙ୍କର ଯାଇସାରିଛି ଓ ଆଜି ରାତିରେ ଆଉ ୪ଟି ଟ୍ୟାଙ୍କର ବାହାରିଛି। ରାଉରକେଲା, ଯାଜପୁର, ଅନୁଗୁଳରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ, ମଧ୍ୟପ୍ରଦେଶର ଇନ୍ଦୋର, ମୁମ୍ବାଇର ପୁେନ, ମହାରାଷ୍ଟ୍ରର ନାଗରପୁରକୁ ଟ୍ୟାଙ୍କର ଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଗୁଳରୁ ୨ଟି ଟ୍ୟାଙ୍କର ବିଶାଖାପାଟଣା ଏବଂ ଯାଜପୁରରୁ ୨ଟି ଟ୍ୟାଙ୍କର ଗାଜିଆବାଦ ବାହାରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ କୋଭିଡ ସ୍ଥିତି ଭଲ ଥିବାରୁ ଦୈନିକ ଅକ୍ସିଜେନ୍ ବଳି ପଡୁଛି। ଏହି ବଳକା ଅକ୍ସିଜେନକୁ ଅନ୍ୟ ରାଜ୍ୟକୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଅନୁଗୁଳସ୍ଥିତ ଜେଏସପିଏଲ୍, ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ଭୂଷଣ ଲିମିଟେଡ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ , ଜେଏସ୍ଏଲ୍ କଳିଙ୍ଗନଗର ଓ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟରୁ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯ଼ାଉଛି।
ଉଲ୍ଲେଖଯୋଗ୍ୟ, ଜେଏସ୍ପିଏଲରେ ୫ଶହ ଟନ୍, ଟାଟା ଷ୍ଟିଲ ଭୂଷଣ ଲିମିଟେଡରେ ୫ଶହ ଟନ୍, ଟାଟା ଷ୍ଟିଲ କଳିଙ୍ଗନଗରରେ ୫ଶହ ଟନ୍, ଜେଏସଏଲ୍ କଳିଙ୍ଗନଗରରେ ୨୫୦ଟନ ଅକ୍ସିଜେନ୍ ମହଜୁଦ ରହିଛି। ଏହିସବୁ ପ୍ଳାଣ୍ଟରେ ଅକ୍ସିଜେନ ଉତ୍ପାଦନ ମଧ୍ୟ ଅବ୍ୟାହତ ରହିଛି।