ପୁରୀରେ ପହଞ୍ଚିଲେ ୨୫୦୦ ହବିଷ୍ୟାଳି : ଆଜିଠୁ ଧରିବେ କାର୍ତ୍ତିକ ବ୍ରତ

ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

ପୁରୀ : ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ହବିଷ୍ୟାଳିମାନେ କରିବେ ରାଧା ଦାମୋଦର ପୂଜା। ଏଥି ପାଇଁ ‌ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜି ରାତି ସୁଦ୍ଧା ୨୫୦୦ରୁ ଅଧିକ ହବିଷ୍ୟାଳି ପୁରୀରେ ଆସି ପହଞ୍ଚି ସାରିଛନ୍ତି। ୨୬୪୯ ହବିଷ୍ୟାଳି ନାମ ପଞ୍ଜୀକରଣ କରିଥିବା ବେଳେ ରାତିସୁଦ୍ଧା ଏହି ସଂଖ୍ୟା ବଢିବ ବୋଲି ଜଣାପଡିଛି। ଆସନ୍ତାକାଲି ଅପରାହ୍ନ ୫ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନସିଂ ଜରିଆରେ ହବିଷ୍ୟାଳି କେନ୍ଦ୍ରଗୁଡ଼ିକର ଉଦ୍‌ଘାଟନ କରିବେ। ରେଳବାଇ ଯାତ୍ରୀ ନିବାସରେ ଭିଡ଼ିଓ କନ‌୍‌ଫରେନସିଂ ସଭାର ଆୟୋଜନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନିଜେ ଜିଲ୍ଲାପାଳ ହବିଷ୍ୟାଳି କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନାଭାବ ଯୋଗୁ ରେଳବାଇ ଯାତ୍ରୀ ନିବ‌ାସ ଉପରେ ଅସ୍ଥାୟୀ ‌େଟଣ୍ଟ ନିର୍ମାଣ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ବାଖ୍ୟାନ କେନ୍ଦ୍ର ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଏହି ସବୁ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ଏଠାରେ ହବିଷ୍ୟାଳିମାନଙ୍କର ରହିବା, ଖାଇବା, ସହାୟତା କେନ୍ଦ୍ର, ସ୍ବାସ୍ଥ୍ୟ ସେବା ଆଦି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। କାର୍ତ୍ତିକ ବ୍ରତ ପାଇଁ ତୁଳସୀ ଚଉରା ପ୍ରସ୍ତୁତ ହୋଇ ରହିଛି। ଆଜି ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳିମାନେ ଆସି କେନ୍ଦ୍ରରେ ନାମ ପଞ୍ଜୀକରଣ କରିଛନ୍ତି। ରେ‌ଳବାଇ ଯାତ୍ରୀ ନିବାସରେ ୨୨୦୦ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ସଂଖ୍ୟା ଅଧିକ ହେବାରୁ ଯାତ୍ରୀନିବାସ ଛାତ‌େର ଟେଣ୍ଟ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ, ପିଡି ଡକ୍ଟର ଉଦ୍ଧବ ମାଝି, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଆଜି ହବିଷ୍ୟାଳି କେନ୍ଦ୍ରକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହବିଷ୍ୟାଳିଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ପୁରୀ, ଖୋର୍ଧା, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ଢେଙ୍କାନାଳ ଆଦି ଜିଲ୍ଲାରୁ ହବିଷ୍ୟାଳିମାନେ ଆସିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର