ରାଜ୍ୟରେ ୨୫୦୦ରୁ ଅଧିକ ପ୍ରଧାନଶିକ୍ଷକ ପଦବି ଖାଲି

ମୁଖ୍ୟମନ୍ତ୍ରୀ ଓ ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହିଁ ଗଣଶିକ୍ଷା ବିଭାଗ: ଓଷ୍ଟା

କଟକ : ରାଜ୍ୟର ପ୍ରାୟ ୨୫୦୦ରୁ ଅଧିକ ସରକାରୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ପଦୋନ୍ନତି ମାଧ୍ୟମରେ ଏହି ପଦବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଅଦାଲତ ବି ଏ ପ୍ରସଙ୍ଗରେ ସ୍ପଷ୍ଟ ରାୟ ଦେଇ ସାରିଥିବାବେଳେ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏଭଳି ଅଭିଯୋଗ ଆଣିବା ସହିତ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଓଷ୍ଟା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ରାଜ୍ୟରେ ପୂର୍ଣ୍ଣ ସରକାରୀ ଓ ନୂତନ ସରକାରୀ ନାମରେ ଥିବା ପ୍ରାୟ ୩୬୦୦ ହାଇସ୍କୁଲ ମଧ୍ୟରୁ ପାଖାପାଖି ୨୫୦୦ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବି ଦୀର୍ଘଦିନ ଧରି ଖାଲିପଡ଼ିଛି। ଏହି ପଦବିଗୁଡ଼ିକ କନିଷ୍ଠ ଏସ.ଇ.ଏସ୍ ଶିକ୍ଷକଙ୍କ ବରିଷ୍ଠତା ଆଧାରରେ ପଦୋନ୍ନତି ମାଧ୍ୟମରେ ପୂରଣ କରିବାର ସରକାରୀ ବିଧିବ୍ୟବସ୍ଥା ରହିଛି। ମାତ୍ର ରାଜ୍ୟ ସରକାର ୨୦୧୫ ମସିହା ପରଠାରୁ ଅଦ୍ୟାବଧି କାହାକୁ ପଦୋନ୍ନତି ଦେଇ ନାହାନ୍ତି କିମ୍ବା ଖାଲି ପଡ଼ିଥିବା ପଦବି ପୂରଣ କରି ନାହାନ୍ତି। ୨୦୨୦, ଜାନୁଆରି ୧୦ ତାରିଖରେ ଚିଠି ନଂ.୧୦୨୬ ଅନୁଯାୟୀ ସରକାର କିନ୍ତୁ ପଦୋନ୍ନତି କ୍ଷେତ୍ରରେ ଏକ ନିର୍ଦ୍ଦେଶନାମା ପ୍ରକାଶ କଲେ। ପ୍ରତ୍ୟେକ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ଅଦାଲତ ମାଧ୍ୟମରେ ଡି.ପି.ସି. ବସାଇ ପଦୋନ୍ନତି ଦେବାପାଇଁ ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଲା। ଯଦି କୌଣସି ସମୟରେ ଏହାର ଖିଲାପ କରାଯାଏ ତେବେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ଏହାକୁ ବି କାର୍ଯ୍ୟକାରୀ କରାଯାଉନାହିଁ।

ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବି ପୂରଣ ପାଇଁ ସହକାରୀ ଶିକ୍ଷକମାନଙ୍କର ଏକ ରାଜ୍ୟସ୍ତରୀୟ କ୍ୟାଡର୍ କରାଯାଇ ସେଥିରୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହି କ୍ୟାଡର ପ୍ରସ୍ତୁତିକୁ ଠିକ୍ ଢଙ୍ଗରେ କରାଯାଉ ନଥିବାରୁ ପଦୋନ୍ନତିରେ ବିଳମ୍ବ ହେଉଛି। ଏହି କ୍ୟାଡରକୁ ବିରୋଧ କରି ଉଚ୍ଚ ଅଦାଲତରେ ମାମଲା ଦାୟର୍ ହେଉଥିବାରୁ ପଦବି ପୂରଣ ହୋଇପାରୁ ନାହିଁ ବୋଲି ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଫେଇ ଦିଆ ଚାଲିଛି। କିନ୍ତୁ ୪/୩/୨୦୨୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରାଜ୍ୟରେ ୨୫୪୭ ପ୍ରଧାନଶିକ୍ଷକ ପଦବି ଖାଲିପଡ଼ିଥିବା ସୂଚନା ଦିଆଯାଇ ଏଥିଯୋଗୁଁ ରାଜ୍ୟର ଶିକ୍ଷାବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି ବୋଲି କୁହାଯାଇଥିଲା। ଫଳରେ ଅଦାଲତ ପଦୋନ୍ନତିରେ ବାଧକ ଥିବା ରହିତାଦେଶକୁ ଉଚ୍ଛେଦ କଲେ। ରାଜ୍ୟସରକାର ତୁରନ୍ତ ପଦୋନ୍ନତି ଦିଅନ୍ତୁ ବୋଲି ତାଙ୍କର ରାୟରେ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। କିନ୍ତୁ ଇତିମଧ୍ୟରେ ତିନି ମାସ ବିତି ଯାଇଥିଲେ ମଧ୍ୟ ଏ କ୍ଷେତ୍ରରେ ସରକାରଙ୍କ ଉଦାସୀନତା ଦୁର୍ଭାଗ୍ୟର ବିଷୟ ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପଦୋନ୍ନତି ପ୍ରକ୍ରିୟା ତ୍ବରାନ୍ବିତ କରନ୍ତୁ ବୋଲି ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଦାବି କରିଛନ୍ତି। ସ୍କୁଲରେ ପ୍ରଧାନଶିକ୍ଷକ ନ ଥିବାରୁ ବିଦ୍ୟାଳୟ ପରିଚାଳନାରେ ଅବ୍ୟବସ୍ଥା ଦେଖାଦେଉଛି। ତେଣୁ ନୂତନ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଅର୍ଥାତ୍ ରଜ ପୂର୍ବରୁ ପଦୋନ୍ନତି ମାଧ୍ୟମରେ ପ୍ରଧାନଶିକ୍ଷକ ପଦବି ପୂରଣ କରି ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟକୁ ସୁବ୍ୟବସ୍ଥିତ କରିବା ପାଇଁ ସଂଗଠନର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ଯୁଗ୍ମ ସାଧାରଣ ସଂପାଦକ ରଂଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ରଙ୍କ ସମେତ ଶିକ୍ଷକ ନେତା ଶଙ୍କର କୁମାର ସୁବୁଦ୍ଧି, ବିନାୟକ ପରିଡ଼ା, ନୀଳମଣି ପୁରୋହିତ, ନିର୍ମଳ ଜେନା, ଅତୁଲ ବିକ୍ରମ ପ୍ରଧାନ, ମଧୁସୂଦନ ଦେ, କାହ୍ନୁଚରଣ ସାମଲ, ବିଜୟ କୁମାର ଛତ୍ର, ରମାକାନ୍ତ ମହାପାତ୍ର, ସୁରଜିତା ନାୟକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର