ପଶ୍ଚିମ, ଦକ୍ଷିଣାଞ୍ଚଳ ଜିଲ୍ଲାରେ ଖାଲିପଡ଼ିଛି ୨୫୦୩ ଡାକ୍ତର ପଦବି

ଭୁବନେଶ୍ବର : ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ୨୫୦୩ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ଖାଲି ପଡ଼ିଛି। ଏଥିରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ୧୭୧୧ଟି ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ୭୯୨ ଡାକ୍ତର ପଦବି ଖାଲିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ୩୮୦୭ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ଥିବା ବେଳେ ଏଥିରେ ୨୦୯୬ଜଣ କାର୍ଯ୍ୟରତ ଅଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ଜିଲ୍ଲାରେ ୨୮୮୫ଟି ନର୍ସିଂ ପଦବି ଥିବା ବେଳେ ୧୯୫୦ଜଣ କାର୍ଯ୍ୟରତ ଅଛନ୍ତି। ୯୩୫ଟି ପଦବି ଖାଲି ପଡ଼ିଛି। ଦକ୍ଷିଣ ଓଡ଼ିଶାରେ ୨୯୯୨ଟି ପଦବି ଥିବା ବେଳେ ୧୯୦୯ଜଣ କାର୍ଯ୍ୟରତ ଅଛନ୍ତି। ୧୦୮୩ ପଦବି ଖାଲି ରହିଛି। ଏହାସହ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ୧୬୧ ଫାର୍ମାସିଷ୍ଟ ପଦବି ଥିବା ବେଳେ ୫୧୮ଜଣ ରହିଛନ୍ତି। ୧୪୯ ପଦବି ଖାଲି ପଡ଼ିଛି। ଦକ୍ଷିଣ ଓଡ଼ିଶାରେ ୬୨୭ ଫାର୍ମାସିଷ୍ଟ ପଦବି ଥିବା ବେଳେ ୧୬୩ ପଦବି ଖାଲି ରହିଛି। ପଶ୍ଚିମ, ଦକ୍ଷିଣାଞ୍ଚଳ ଜିଲ୍ଲାରେ ୨୨୭ଟି ରେଡିଓଗ୍ରାଫର ପଦବି ରହିଛି। ଏଥିରେ ୮୭ଜଣ କାର୍ଯ୍ୟରତ ଥିବା ବେଳେ ୧୪୬ ପଦବି ଖାଲି ରହିଛି।

ସମ୍ବନ୍ଧିତ ଖବର