ରାୟଗଡ଼ା: ଦିନକୁ ଦିନ ଦୁର୍ଘଟଣାପ୍ରବଣ ହେବାରେ ଲାଗିଛି ୩୨୬ ନଂ ଜାତୀୟ ରାଜପଥ। ଅବିଭକ୍ତ କୋରାପୁଟ ସମେତ ଗଞ୍ଜାମ, ଗଜପତି ଜିଲ୍ଲାବାସୀଙ୍କ ଲାଇଫ୍ ଲାଇନ୍ ପାଲଟିଥିବା ଏହି ରାଜପଥ ଶିଳ୍ପ କରିଡର୍ ରାଞ୍ଚି-ବିଜୟୱାଡା-ରାୟପୁର ରାଜପଥକୁ ସଂଯୋଗ ହୋଇଛି। ଅଧିକ ଟ୍ରାଫିକ୍, ନୋ-ଏଣ୍ଟ୍ରି ନିୟମ କୋହଳ କାରଣରୁ ଦୁର୍ଘଟଣା ଥମିବାର ନାଁ ନେଉନି। ଗତ ଦୁଇ ବର୍ଷରେ କେବଳ ରାୟଗଡ଼ା ଜିଲ୍ଲାରେ ଏହି ରାଜପଥରେ ୨୫୧ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏକ ହଜାର ଲୋକ ଆହତ ହୋଇଛନ୍ତି। ୨ ଶହରୁ ଉର୍ଦ୍ଧ୍ବ ଅର୍କମଣ୍ୟ ହୋଇଛନ୍ତି।
ଦୁର୍ଘଟଣା ରୋକିବାକୁ ଗଠନ ହୋଇଛି ସଡ଼କ ସୁରକ୍ଷା କମିଟି। ଟ୍ରାଫିକ୍ ନିୟମକୁ ମଧ୍ୟ କଡାକଡି କରାଯାଇଛି। ପୁଲିସ୍, ପରିବହନ ବିଭାଗ ପକ୍ଷରୁ ହେଲମେଟ୍, ସିଟ୍ ବେଲଟ୍, ଓଭରଲୋଡିଂ ଯାଞ୍ଚକୁ ଗୁରୁତ୍ବ ଦିଆଯାଇଛି। ନିୟମ ଭଙ୍ଗ ଅଭିଯୋଗରେ ଜରିମାନା ଆଦାୟ ଅଧିକ ହେବା ଛଡ଼ା ଦୁର୍ଘଟଣା ରୋକିବାରେ ସଫଳତା ମିଳିପାରିନି। ଜିଲ୍ଲା ପୁଲିସ୍ ସୂଚନାନୁସାରେ, ୨୦୨୦ ମସିହାରେ ୩୨୬ ନଂ ଜାତୀୟ ରାଜପଥରେ ୨୭୨ଟି ସଡ଼କ ଦୁର୍ଘଟଣାରେ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୧ରେ ୨୯୭ଟି ଦୁର୍ଘଟଣାରେ ୧୩୩, ୨୦୨୨ରେ ୨୬୨ଟି ସଡ଼କ ଦୁର୍ଘଟଣାରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ ବର୍ଷ ଆରମ୍ଭରେ ମଧ୍ୟ ଦୁର୍ଘଟଣାହାର କିଛି କମ୍ ନୁହେଁ। ଗତ ୯ ଦିନ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଗୁରୁତର ଅବସ୍ଥାରେ ୧୪ ଜଣଙ୍କୁ ମେଡ଼ିକାଲ୍ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ରାୟଗଡ଼ା, ଚାନ୍ଦିଲି, ବିଷମକଟକ, ମୁନିଗୁଡ଼ା, ଗୁଣପୁର ଥାନା ଅଞ୍ଚଳ ସର୍ବାଧିକ ଦୁର୍ଘଟଣାପ୍ରବଣ ଚିହ୍ନଟ ହୋଇଛି। ରାୟଗଡ଼ା ଥାନା ଅଧୀନରେ ଗତ ୨ ବର୍ଷରେ ସର୍ବାଧିକ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଚାନ୍ଦିଲି ଥାନା ଅଧୀନରେ ୩୩, ବିଷମକଟକରେ ୨୫, ଗୁଣପୁର, ମୁନିଗୁଡ଼ା ଥାନା ଇଲାକାରେ ୨୩ ଜଣ ଲେଖାଁଏ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି।
ରାୟଗଡ଼ା-ଚାନ୍ଦିଲି ଥାନା ଅଞ୍ଚଳ ଦେଇ ଦୈନିକ ରାୟପୁର, ବିଶାଖାପାଟଣା ସମେତ ଓଡ଼ିଶାର ବିଭିନ୍ନ ରାଜ୍ୟରୁ ମାଲବାହୀ ଓ ଯାତ୍ରୀବାହୀ ଯାନବାହନ ଚଳାଚଳ କରୁଛନ୍ତି। ଟିକିରି ଉତ୍କଳ ଆଲୁମିନା, ଜେକେପୁର ଜେକେ କାଗଜକଳ, ଥେରୁବାଲି ଇମ୍ଫା ସମେତ ରାୟଗଡ଼ା ଜିଲ୍ଲା ସୀମାନ୍ତ କୋରାପୁଟର କୋଡିଙ୍ଗାମାଳି ବକ୍ସାଇଟ୍ ଖଣି, ଦାମନଯୋଡ଼ିର ନାଲକୋ ଶିଳ୍ପାଞ୍ଚଳକୁ ମାଲବାହୀ ଯାନବାହନ ଚଳାଚଳ କରୁଛନ୍ତି। କିନ୍ତୁ ମାଲବାହୀ ଯାନବାହନ ଚଳାଚଳ ପାଇଁ ନୋ-ଏଣ୍ଟ୍ରି ନିୟମକୁ ରାୟଗଡ଼ାରେ କାର୍ଯ୍ୟକାରୀ କରାଯାଇନି। ଶିଳ୍ପାଞ୍ଚଳରେ ସକାଳ ୯ରୁ ରାତି ୮ଟା ପର୍ଯ୍ୟନ୍ତ ନୋ-ଏଣ୍ଟ୍ରି ନିୟମକୁ କଡାକଡି କରାଯିବାର ନିୟମ ରହିଛି। ଏଠି ତାହା କାର୍ଯ୍ୟକାରୀ ହୋଇନଥିବା ବେଳେ ବାଇପାସ୍ ମଧ୍ୟ ନଥିବାରୁ ସହର ଭିତର ଦେଇ ହିଁ ଭାରିଯାନ ଚଳାଚଳ କରୁଛି। ଫଳରେ ସ୍କୁଲ୍, କଲେଜ ସମେତ ସରକାରୀ ଓ ବେସରକାରୀ କାମରେ ଯାତାୟାତ କରୁଥିବା ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। କୋରାପୁଟ-ରାୟଗଡ଼ା ଜିଲ୍ଲା ଦେଇ ଗଜପତି, ଗଞ୍ଜାମକୁ ସଂଯୋଗ ହୋଇଥିବା ରାଜପଥରେ ୬ଟି ବଡ଼ ଘାଟି ରହିଛି।
ଘାଟି ରାସ୍ତା ଅଣଓସାରିଆ ସାଙ୍ଗକୁ ତୀକ୍ଷଣ୍ ବୁଲାଣି ଥିବାରୁ ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣାର ଘଟୁଛି। ଦୁର୍ଘଟଣା ରୋକିବାକୁ ପ୍ରତି ବର୍ଷ ସଡ଼କ ସୁରକ୍ଷା କମିଟିର ବୈଠକ ବସୁଛି। ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଯୁଗ୍ମ କମିଟି ଦୁର୍ଘଟଣାର କାରଣ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି। ଯାହା କେବଳ କାଗଜପତ୍ରରେ ସୀମିତ।