ଭୁବନେଶ୍ବର : ବନ୍ୟା ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ନ ପ୍ରସବାମାନଙ୍କୁ ମା’ଗୃହ କିମ୍ବା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ୫୮୨ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଥିଲେ। ତହିଁରୁ ବର୍ତମାନସୁଦ୍ଧା ୨୫୫ଜଣ ଶିଶୁ ଜନ୍ମ ହୋଇଛନ୍ତି। ଏଥିରେ ୧୨୫ଜଣ ଶିଶୁପତ୍ର ଓ ୧୩୦ଜଣ ଶିଶୁକନ୍ୟା ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବାହିତ ରୋଗ ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଏସବୁ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ସହିତ ସାପ କାମୁଡ଼ା ରୋଗୀ ନଜରକୁ ଆସୁଛନ୍ତି। ରାଜ୍ୟରେ ଏବେ ୨୭୮ ମେଡିକାଲ ରିଲିଫ୍ ସେଣ୍ଟର କାର୍ଯ୍ୟ କରୁଛି। ୧୫୩ଟି ମେଡିକାଲ ଟିମ୍ କାର୍ଯ୍ୟ କରୁଛନ୍ତି। ଏହି ସମୟ ମଧ୍ୟରେ ୩୫,୩୮୭ ଲୋକଙ୍କ ଚିକିତ୍ସା କରାଯାଇଛି। ଏହାସହ ୩୨ଜଣ ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା କରାଯାଇଛି। ଜଣେ ହେଲେ ବି ପ୍ରାଣ ହରାଇ ନାହାନ୍ତି।
ଡା.ମିଶ୍ର କହିଛନ୍ତି ଯେ ରାଜ୍ୟର ବନ୍ୟା ପ୍ରଭାବିତ କୌଣସି ଜିଲ୍ଲାରେ କୌଣସି ରୋଗ ବ୍ୟାପିଥିବା(ଆଉଟବ୍ରେକ୍) ନଜରକୁ ଆସିନାହିଁ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟର ୬ଟି ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/baby_EPS.jpg)