ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅନ୍ତଃଜାତି ବିବାହ ପ୍ରତି ଆଗ୍ରହ ବଢ଼ୁଛି। ଜିଲ୍ଲାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୯, ୨୦୧୯-୨୦ରେ ୫୮, ୨୦୨୦-୨୧ରେ ୪୫, ୨୦୨୧-୨୨ରେ ୬୫ ଓ ୨୦୨୨-୨୩ରେ ୫୮ଟି ବିବାହ ପଞ୍ଜୀକୃତ ହୋଇଛି। ଏହି ଯୋଜନାରେ ମିଳୁଥିବା ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ନବଦମ୍ପତିଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି। ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୫୫ ଦମ୍ପତି ପଞ୍ଜୀକରଣ କରି ସାରିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଏହି ଯୋଜନାରେ ପ୍ରୋତ୍ସାହନ ରାଶି ପାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ସାଧାରଣ ବର୍ଗର ପୁଅ-ଝିଅ ସହିତ ଅନୁସୂଚିତ ଜାତିର ପୁଅ-ଝିଅଙ୍କ ବାହାଘର ହେଲେ, ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହା ସହିତ ବିବାହ ସରକାରୀ ଭାବେ ପଞ୍ଜୀକୃତ ହୋଇଥିବ। ପୂର୍ବରୁ ଅନ୍ତଃଜାତି ବିବାହ କଲେ କୁଳ ଲୋକେ ତାହାକୁ ସ୍ବୀକୃତି ପ୍ରଦାନ କରୁ ନଥିଲେ। ଜାତିଭେଦକୁ ନେଇ ଜିଲ୍ଲା‌ରେ ବିଭିନ୍ନ ସମୟରେ ନାନା କାଣ୍ଡ ଘଟିଛି। ଫଳରେ ଅନ୍ତଃଜାତି ବିବାହ ପ୍ରତି ଲୋକଙ୍କ ଆଗ୍ରହ ପ୍ରକାଶ ପାଉନଥିଲା। ଏହି ଯୋଜନା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ୨୦୧୭ରେ ପ୍ରୋତ୍ସାହନ ରାଶିକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ପର୍ଯ୍ୟାୟ କ୍ରମେ ସହାୟତା ରାଶି ବୃଦ୍ଧି ହୋଇ ଏବେ ଅଢ଼େଇ ଲକ୍ଷ ଟଙ୍କା ହୋଇଛି।