ଲୋକଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳ ହୋଇ କାମ କର: ମୁଖ୍ୟମନ୍ତ୍ରୀ

ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର : ୨୫୭ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ୍‌) ବୁଧବାର ଦିନ ଜଳସମ୍ପଦ ବିଭାଗରେ ଯୋଗଦେଇଛନ୍ତି। ଏଥିରେ ୮୭ଜଣ ମହିଳା ଇଞ୍ଜିନିୟର ଅଛନ୍ତି। ଏନେଇ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଲୋକଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସମ୍ପଦ ବିଭାଗ କୃଷକମାନଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଲୋକଙ୍କ ଜୀବନ ଓ ସମ୍ପଦର ସୁରକ୍ଷା ପାଇଁ ବନ୍ୟା ପରିଚାଳନା କରିବାକୁ ଉତ୍ତରଦାୟୀ। ରାଜ୍ୟରେ ଏବେ ଅଢ଼େଇ ହଜାରରୁ ଅଧିକ ଡ୍ୟାମ୍‌ ଥିବାବେଳେ ଲୋୟର ସୁକତେଲ୍‌, କାନପୁର ଏବଂ ଘଟକେଶ୍ବର ଭଳି ବଡ଼ ଡ୍ୟାମ୍ କାମ ଚାଲିଛି। ଏହାବ୍ୟତୀତ ଜଳସମ୍ପଦ ବିଭାଗ ୩୦ଟି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ନିର୍ମାଣ କରୁଥିବାବେଳେ ଆଉ ୧୬ଟି ପାଇଁ ୧୨ହଜାର କୋଟି ଟଙ୍କା ବରାଦ ହୋଇଛି। ଏହାଦ୍ବାରା ନଦୀର ଜଳକୁ ସଂରକ୍ଷିତ ରଖିବା ସହ ଭୂତଳ ଜଳସ୍ତର ବଢ଼ାଯାଇପାରିବ।

ସେହିପରି ନୂଆ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ତଦାରଖ, ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଏବଂ ଚାଷ ଜମିକୁ ନିଶ୍ଚିତ ଜଳସେଚନ ବ୍ୟବସ୍ଥା କରିବାରେ କନିଷ୍ଠ ଯନ୍ତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଭାଗ ପକ୍ଷରୁ ଆଇଟି ସକ୍ଷମ ଶାସନ ମାଧ୍ୟମରେ ଅଣାଯାଇଥିବା ଅଧିକ ଉତ୍ତରଦାୟିତ୍ବ ଦକ୍ଷତା ଓ ସ୍ବଚ୍ଛତା ନେଇ ଖୁସି ବ୍ୟକ୍ତ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ସାମଗ୍ରୀ କିଣିବା ଦିଗରେ ସ୍ବଚ୍ଛତା ଆଣିବା ନେଇ ପ୍ରସ୍ତୁତ ହୋଇଥିବା ପ୍ରୋକ୍ୟୁରମେଣ୍ଟ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ (ପ୍ରମିସ୍‌)ର ଶୁଭାରମ୍ଭ କରିଥିଲେ। ଏହାସହ ଘୋଷଣା କରିଥିଲେ ଯେ, ୫-ଟି ଉପକ୍ରମରେ ଖୁବ୍‌ ଶୀଘ୍ର ବିସ୍ତୃତ କ‌ମ୍ପ୍ୟୁଟର ପ୍ରୟୋଗ, ପାଣି ଇଆର୍‌ପି ଲୋକାର୍ପିତ ହେବ। ଏହାଦ୍ବାରା ଆହୁରି କୁଶଳୀ ଢଙ୍ଗରେ ଜଳସେଚନ ଓ ବନ୍ୟା ପରିଚାଳନା ବ୍ୟବସ୍ଥା କରିହେବ।
ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଲୋକଙ୍କ ପ୍ରତି ଦାୟିତ୍ବବାନ ଏବଂ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବାକୁ ଅାହ୍ବାନ ଦେଇଥିଲେ।

ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିୟାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର