କୁମାର ପୂର୍ଣ୍ଣିମାରେ ଜୁଆ : ଧରାପଡ଼ିଲେ ୨୫୯ ଜୁଆଡ଼ି, ୯ ଲକ୍ଷ ୪ହଜାର ୯୬ ଜବତ

ବ୍ରହ୍ମପୁର : କୁମାର ପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ପୁଲିସ ଜିଲ୍ଲା ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ସମସ୍ତ ଥାନା ଇଲାକାରେ ଜୁଆଡ଼ି ଧରପଗଡ଼ ଅଭିଯାନକୁ ଜୋର୍ କରିଥିଲା। ଗତକାଲି ଦିନକ ମଧ୍ୟରେ ଉଭୟ ପୁଲିସ ଜିଲ୍ଲାରୁ ୨୫୯ ଜୁଆଡ଼ି ଗିରଫ ହୋଇଥିବା ବେଳେ ସେମାନଙ୍କଠୁ ମୋଟ ୯ ଲକ୍ଷ ୪ ହଜାର ୯୬ ଟଙ୍କା ଜବତ କରାଯାଇଛି। ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗତ ରାତିରେ ଚଢ଼ଉ କରାଯାଇ ମୋଟ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ଲକ୍ଷ ୨୪ ହଜାର ୨୧୫ ଟଙ୍କା, ୨୪ଟି ମୋବାଇଲ ଓ ୪ଟି ବାଇକ ଜବତ ହୋଇଛି ବୋଲି ଏଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାର ୧୭ଟି ଥାନା ଇଲାକାରେ ଚାଲିଥିବା ୩୨ଟି ଜୁଆ ଖେଳ ଉପରେ ଚଢ଼ଉ ସହ ସମୁଦାୟ ୧୬୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସମୁଦାୟ ୪ଲକ୍ଷ ୭୯ହଜାର ୮୮୧ଟଙ୍କା ଜବତ ହୋଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଜୁଆଡ଼ି ଗିରଫ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା‌ରେ କୁମାର ପୂର୍ଣ୍ଣିମାରେ ଜୁଆ ଖେଳିବା ଏକ ପରମ୍ପରା ବୋଲି କୁହାଯାଏ। ଲକ୍ଷ୍ମୀଙ୍କଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ କୁମାର ପୂର୍ଣ୍ଣିମାରେ କଉଡ଼ି ଖେଳି ହାରିଥିବାରୁ ଏହାକୁ ପରମ୍ପରା ଭାବେ ପାଳନ କରାଯାଇ ଆସୁଛି। ତେବେ ଦିନକୁ ଦିନ ଏହି ପରମ୍ପରା କଳୁଷିତ ହେବାରେ ଲାଗିଛି। କୁମାର ପୂର୍ଣ୍ଣିମାର ୧୫ ଦିନ ପୂର୍ବରୁ ଆରମ୍ଭ ହୋଇଯାଉଛି ଜୁଆ ଆଡ଼ା। ଜୁଆ ଖେଳ ଅର୍ଥ ରୋଜଗାର ପାଇଁ ଏକ ନିଶା ପାଲିଟିଛି। ‌କିଛି ଲୋକ ଜୁଆ ଖେଳି ସର୍ବସ୍ବାନ୍ତ ହୋଇଯାଉଛନ୍ତି।

ସମ୍ବନ୍ଧିତ ଖବର