ଘରୋଇ ସ୍କୁଲରେ ୨୫% ସିଟ ସଂରକ୍ଷଣ ନିୟମ କଡ଼ାକଡ଼ି ହେବ

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ଘରୋଇ ସ୍କୁଲରେ ୨୫% ସିଟ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସଂରକ୍ଷିତ ରହିବ। ତେବେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଏହାକୁ ପାଳନ କରାଯାଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଯାହାକୁ ଆଧାର କରି ଆଗାମୀ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏବେ ବିଦ୍ୟାଳୟସ୍ତରରେ ପିଲା ଚୟନ ହେଉଥିବା ବେଳେ ଆଗକୁ ଅନ୍‌ଲାଇନ୍‌ରେ କରାଯିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ପରିଚାଳନା କରିବ। ଆଜି ବସିଥିବା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ସ୍କୁଲରେ ନାମଲେଖାରେ ଅବହେଳିତ ଶ୍ରେଣୀଙ୍କ ପାଇଁ ୨୫% ସିଟରେ ଅନଲାଇନ ନାମଲେଖା, ଏସଓପି ଜାରି କରିବା ଓ ଫି’ ରେଗୁଲେଟୋରି କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ଅପରାହ୍ନ ୩ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଶିକ୍ଷା ଅଧିକାର ଆଇନରେ ଥିବା ୨୫% ସିଟ ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏନେଇ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ସହ ଆଲୋଚନା କରିବା ପରେ ଆମରଣ ଅନଶନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯୁଗ୍ମ ସଚିବ ଅନୁରାଧା ସେନାପତି, ଓଡ଼ିଶା କର୍ମଚାରୀ ମହାମଞ୍ଚ ସଭାପତି ପ୍ରଭାତ ମହାନ୍ତି, ଉପଦେଷ୍ଠା ମନୋଜ ଜେନା, ଲଳିତ ପଟ୍ଟନାୟକ, ରମେଶ ମହାନ୍ତି, ଦୀନବନ୍ଧୁ ଅଧିକାରୀ ପ୍ରମୁଖ ଆମରଣ ଅନଶନରେ ବସିଥିବା ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଭୁମୋହନ ପଟ୍ଟନାୟକ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ଦେବାଶିଷ ବସନ୍ତିଆ, ନନ୍ଦକିଶୋର ମଲ୍ଲିକ, ଆଶୁତୋଷ ନନ୍ଦ, ଶିଶିର ସାହୁ ପ୍ରମୁଖଙ୍କୁ ଫଳରସ ପିଆଇ ଆମରଣ ଅନଶନରୁ ଉଠାଇଥିଲେ।

ସମ୍ବନ୍ଧିତ ଖବର