ଭଦ୍ରକ : ଭଦ୍ରକର ନେହେରୁ ଷ୍ଟାଡିୟମଠାରେ ବୁଧବାର ସଂଧ୍ୟାରେ ୨୫ତମ ରାଜ୍ୟ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଲେ, ବିଶ୍ୱରେ ଭାରତବର୍ଷ ଏକ ଯୁବଶକ୍ତିର ଦେଶ ଭାବେ ପରିଗଣିତ ହେଉଛି। ପାଖାପାଖି ୬୦ କୋଟି ଯୁବକ ଆମ ଦେଶରେ ଅଛନ୍ତି। ଯେଉଁ ଦେଶରେ ଏତେ ଯୁବଶକ୍ତି ରହିଛି। ସେ ଦେଶ ବିଶ୍ୱର ଏକ ଅଦ୍ବିତୀୟ ଦେଶ ହେବା କଥା। ମାତ୍ର ଆମେ କଣ ପାଇଁ ଆଗକୁ ଯାଇପାରୁ ନାହୁଁ ତାହାର ତର୍ଜ୍ଜମା କରିବାର ସମୟ ଆସିଛି। ଯୁବଶକ୍ତି ହେଉଛନ୍ତି ବାସ୍ତବରେ ସମୟ ସ୍ୱର। ଦେଶରେ ଯୁବକଙ୍କୁ ପ୍ରେରଣା ଓ ପୋତ୍ସାହନ ଦିଆନଗଲେ,ଏ ଦେଶ ବିଶ୍ୱରେ ଆଗକୁ ଯିବ କେମିତି ! ଦେଶରେ ଯୁବକମାନଙ୍କୁ ଆଗକୁ ଯିବା ପାଇଁ ସୁଯୋଗ ଦେବା ଉଚିତ ବୋଲି ଡ. ସାହୁ ପ୍ରକାଶ କରିଥିଲେ। ଏଇ ଅବସରରେ ଡ. ସାହୁ ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଲେ, ଯୁବକମାନେ ଶାରିରୀକ ଭାବେ ସୁସ୍ଥ ରହିବା ଉଚିତ । ଶାରୀରିକ ସୁସ୍ଥତା ରହିଲେ ଜଣେ ଯୁବକ ମାନସିକ ଭାବେ ସୁସ୍ଥ ରହିପାରିବ। ଜଣେ ସୁସ୍ଥ ମଣିଷ ହିଁ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରେ ବୋଲି ସେ କହିଥିଲେ। ଆମ ଭିତରେ କିଛି ଗୋଟାଏ କରି ଦେଖାଇବାର ନିଶା ରହିବା ଉଚିତ। ନିଜେ ଭଲରେ ବଂଚି, ଅନ୍ୟକୁ ଭଲରେ ବଂଚାଇବାର ଇଚ୍ଛାଶକ୍ତି ଯୁବକମାନଙ୍କ ଭିତରେ ରହିବା ଉଚିତ। ଯୁବକ ନିଜ ପାଇଁ ନବଂଚୁ, ସେ ଅନ୍ୟ ପାଇଁ ବଂଚିବା ଶିଖିଲେ ଆଜିର ଯୁବ ମହୋତ୍ସବର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ସମାରୋହରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରିଚାଳନାରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୂସୁଦନ ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ସହଯୋଗ କରିଥିଲେ।
ରାଜ୍ୟସ୍ତରୀୟ ଏଇ ଯୁବ ମହୋତ୍ସବରେ ୩୦ ଜିଲ୍ଲାରୁ ମୋଟ ୧୫୨୯ ଜଣ ଯୁବକ ଯୁବତୀ ଯୋଗଦାନ କରିଥିବା ବେଳେ ସେମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକ ନୃତ୍ୟ, ଲୋକ ସଂଗୀତ ଓ ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜିଠାରୁ ଆରମ୍ଭ ହୋଇଥିବା ଏଇ ରାଜ୍ୟସ୍ତରୀୟ ମହୋତ୍ସବ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖରେ ଏହି ମହୋତ୍ସବର ଉଦଯାପନୀ ହେବ। ଏଇ ଉତ୍ସବ ଅବସରରେ ଆଜି ଅପରାହ୍ନରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ବାହାରି ଭଦ୍ରକ ସହର ପରିକ୍ରମା କରିବା ପରେ ନେହେରୁ ଷ୍ଟାଡିୟମର ସଭାସ୍ଥଳକୁ ଆସିଥିଲା। ଉତ୍କଳର ପାରଂପରିକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଏଇ ଶୋଭାଯାତ୍ରା ଭଦ୍ରକ ସହରକୁ ଉତ୍ସବମୁଖର କରିଥିଲା। ସଭା ଶେଷରେ ରାଜଚ୍ୟରୁ ଆସିଥିବା ଯୁବ ପ୍ରତିଭାମାନଙ୍କ ଦ୍ବାରା ଅକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡ଼ିଶା ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଭଦ୍ରକ ଜିଲ୍ଲା ପ୍ରଶାସନର ସହଯୋଗରେ ଆଜିର ଶୀତୁଆ ସଂଧ୍ୟାରେ ଅନୁଷ୍ଠିତ ଯୁବ ମହୋତ୍ସବରେ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ।