ଏଟିଏମ୍‌ରୁ ୨୬.୫୬ଲକ୍ଷ ଲୁଟ୍‌ ମାମଲା: ଦୁଇ ମାଷ୍ଟରମାଇଣ୍ଡ୍‌ ଟଙ୍କା ନେଇ ପାର୍‌

୨ ବାଇକ୍‌, ୪ ମୋବାଇଲ୍, ୨୧,୫୦୦ଟଙ୍କା ଜବତ, ଗ୍ୟାଙ୍ଗ୍‌ରେ ଦୁଇ ଇଞ୍ଜିନିୟରିଂ ପଢ଼ୁଆ ଭାଇ

ଓଡ଼ାପଡ଼ା/ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନିମବାହାଳି ଷ୍ଟେଟ୍‌ ବ୍ୟାଙ୍କ୍‌ ଏଟିଏମ୍‌ରୁ ୨୬ଲକ୍ଷ ୫୬ହଜାର ଲୁଟ୍‌ ମାମଲାର ପର୍ଦ୍ଦାଫାସ ହୋଇଛି। ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଦୁଇ ମାଷ୍ଟରମାଇଣ୍ଡଙ୍କ ନେତୃତ୍ବରେ ଏଟିଏମ୍‌ ପାଖ ମୋଟଙ୍ଗା ଗାଁର ଚାରିଜଣ ଯୁବକ ଏହି କାଣ୍ଡ ଘଟାଇଛନ୍ତି। ମୋଟଙ୍ଗାର ଚାରି ଲୁଟେରାଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଦୁଇ ମାଷ୍ଟରମାଇଣ୍ଡ୍‌ ଏବେ ବି ଫେରାର୍‌ ଅଛନ୍ତି। ଉଭୟେ ଲୁଟ୍‌ ଟଙ୍କାର ସିଂହଭାଗ ଅର୍ଥ ଧରି ଚମ୍ପଟ ମାରିଥିବାରୁ ଉଭୟଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ତନାଘନା ଚାଲିଛି। ଗିରଫ ଲୁଟେରା ଗ୍ୟାଙ୍ଗରେ ଦୁଇ ଇଂଜିନିୟରିଂ ଛାତ୍ର ସାମିଲ ଅଛନ୍ତି। ‌ଉଭୟେ ଦୁଇଭାଇ ଓ ସେମାନଙ୍କର ମାଆ ଜଣେ ପୂର୍ବତନ ସରପଞ୍ଚ ବୋଲି ପୁଲିସ ତଦନ୍ତ କାଳରେ ଜଣାପଡ଼ିଛି।

ମୋଟଙ୍ଗା ଥାନା ମୋଟଙ୍ଗା ଗାଁରୁ ବନ୍ଧା ହୋଇଥିବା ଏହି ଚାରି ଯୁବକ ହେଲେ ବିରଞ୍ଚି ନାୟକଙ୍କ ପୁଅ ବିଶ୍ବଜିତ୍‌ ନାୟକ ଓରଫ୍‌ ବିଶୁ(୧୮), ସୁମନ୍ତ ସାହୁଙ୍କ ପୁଅ ରତିକାନ୍ତ ସାହୁ ଓରଫ୍‌ ଲିକୁନ(୧୮), ସୁବାସ ବେହେରାଙ୍କ ଦୁଇ ଇଞ୍ଜିନିୟରିଂ ପଢୁଆ ପୁଅ ଶୁଭମ୍‌ ବେହେରା ଓରଫ୍‌ ବବୁଲ୍‌(୨୩) ଓ ସଙ୍କେତ ବେହେରା ଓରଫ୍‌ ବଣ୍ଟି(୧୯)। ଶୁଭମ୍‌ ଅନୁଗୁଳର ଏକ ଘରୋଇ ଇଂଜିନିୟରିଂ କଲେଜରେ ବି.ଟେକ୍‌ କରୁଥିବା ବେଳେ ତାର ସାନଭାଇ ବଣ୍ଟି ସେହି କଲେଜରେ ଡିପ୍ଲୋମା କରୁଥିବା ଜଣାପଡ଼ିଛି। ସେମାନଙ୍କଠାରୁ ପୁଲିସ ନଗଦ ୨୧ହଜାର ୫୦୦ଟଙ୍କା, ୪ଟି ମୋବାଇଲ୍ ଫୋନ୍‌, ଦୁଇଟି ବାଇକ୍‌ (ଓଡି ୧୯କ୍ୟୁ-୪୬୩୩, ଓଡି ୧୯କେ-୧୦୩୫) ଓ ଦୁଇଟି ଅକ୍ସିଜେନ୍‌ ସିଲିଣ୍ଡର ଓ ୫ଟି କ୍ୟାସ୍‌ ଟ୍ରେ ଜବତ କରିଛି।
ପୁଲିସର କହିବା ମୁତାବକ, ଏହି ଚାରି ଯୁବକଙ୍କ ମଧ୍ୟରୁ ଶୁଭମ୍‌ ବେହେରା ଓରଫ୍‌ ବବୁଲ୍‌ ହିଁ ମାଷ୍ଟରମାଇଣ୍ଡ୍‌ଙ୍କ ସହିତ ପ୍ରଥମେ ପରିଚିତ ହୋଇଥିଲା। ବବୁଲ୍ ବାଲେଶ୍ବର ନୀଳଗିରିରେ ଡିପ୍ଲୋମା ପଢ଼ିବାକୁ ଯାଇଥିଲା। ସେ ସମୟରେ ଏହି ମାଷ୍ଟରମାଇଣ୍ଡ୍‌ ଦୁହିଁଙ୍କ ସହ ନିକଟତର ହୋଇଥିଲା ବବୁଲ୍। ଏଟିଏମ୍‌ ଲୁଟ୍‌ ଯୋଜନା ପ୍ରସ୍ତୁତ କରି ଲୁଟ୍‌ପାଟ୍‌ର ଠିକ୍‌ ସପ୍ତାହେ ପୂର୍ବରୁ ମାଷ୍ଟରମାଇଣ୍ଡ୍‌ ଦୁହେଁ ଢେଙ୍କାନାଳ ଜିଲ୍ଲାକୁ ଆସିଥିଲେ। ଅନୁଗୁଳ ସହରତଳି ଆଦର୍ଶ ଇଂଜିନିୟରିଂ କଲେଜ ପାଖରେ ଏକ ଭଡ଼ା ଘର ନେଇ ରହିଥିଲେ। ଲୁଟ୍‌ପାଟ୍‌ ପୂର୍ବରୁ ବବୁଲ୍ ନିଜ ଭାଇ ବଣ୍ଟି ସହିତ ଅନ୍ୟ ଦୁଇ ଜଣ ଯୁବକ ବିଶୁ ଏବଂ ଲିକୁନ୍‌କୁ ଗ୍ୟାଙ୍ଗ୍‌ରେ ଯୋଡ଼ିଥିଲା।

ପୂର୍ବ ଯୋଜନା ମୁତାବକ ବିଶୁ ହିଁ ମୁଖା ପିନ୍ଧି ପ୍ରଥମେ ଏଟିଏମ୍‌ ଭିତରେ ପଶି ସିସିଟିଭି କ୍ୟାମେରା ତାରକୁ ଛିଣ୍ଡାଇ ଦେଇଥିଲା। ତା ପରେ ମାଷ୍ଟରମାଇଣ୍ଡ୍‌ ଦୁହେଁ ଗ୍ୟାସ୍‌ କଟରରେ କାଟି ଟଙ୍କା ଟ୍ରେ ଏଟିଏମ୍‌ରୁ ବାହାର କରିଥିଲେ। ମୋଟଙ୍ଗାର ଏହି ଚାରି ଯୁବକଙ୍କୁ ଅଳ୍ପ କିଛି ଟଙ୍କା ଦେଇ ଅବଶିଷ୍ଟ ଟଙ୍କାରୁ ସିଂହଭାଗ ନୋଟ୍‌ ବ୍ୟାଗ୍‌ରେ ଭର୍ତ୍ତି କରି ଦୁହେଁ ଧରି ପଳାଇଥିଲେ। ତେବେ ୨୬ଲକ୍ଷ ୫୬ହଜାର ଟଙ୍କା ମଧ୍ୟରୁ କେତେ ଟଙ୍କା ମୋଟଙ୍ଗାର ଏହି ଚାରି ଜଣ ଯୁବକଙ୍କୁ ଦେଇଥିଲେ ସେ ସମ୍ପର୍କରେ ପୁଲିସ କିଛି ଯଦିଓ ସ୍ପଷ୍ଟ କରିନାହିଁ, ତଥାପି ଚୋରି ଟଙ୍କାରୁ ଶୁଭମ୍‌ କିଣିଥିବା ଭିଭୋ ୱାଇ-୨୦(ଆଇ) ମୋବାଇଲ୍‌କୁ ପୁଲିସ ଜବତ କରିଛି। ବିଶୁଠାରୁ ୧୭ହଜାର ୫ଶହ ଟଙ୍କା, ବଣ୍ଟିଠାରୁ ୪ହଜାର ଟଙ୍କା ମିଶାଇ ମୋଟ୍‌ ୨୧ହଜାର ୫ଶହ ଟଙ୍କା ଜବତ ହୋଇଛି ବୋଲି ମୋଟଙ୍ଗା ଥାନା ପରିସରରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ପୁଲିସ ୨୫୬/୨୦ ରେ ଦଫା ୪୫୭/୩୮୦ଆଇପିସିରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର